ହଳଦିଆପଦର ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନେଇ ପ୍ରଶାସନର ମୁଣ୍ଡବ୍ୟଥା ସାଜିଛି

ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦରରେ ନିର୍ମିତ ନୂତନ ସିଟି ବସ୍‌ ଟର୍ମିନାଲ ଉଦ୍‌ଘାଟନକୁ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଛି। ତଥାପି ଏହାକୁ କାର୍ଯ୍ୟକ୍ଷମ କରିବାରେ ପ୍ରଶାସନ ଅସଫଳ ହୋଇଛି। ଏବେ ଏହି ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ପ୍ରଶାସନ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବ୍ୟଥା ପାଲଟିଛି। ଏନେଇ ବସ୍‌ମାଲିକ ସଂଘ, ବିଡିଏ, ଜିଲା ପ୍ରଶାସନ ପକ୍ଷରୁ ମିଳିତ ବୈଠକ ହୋଇଥିଲେ ମଧ୍ୟ ବିଫଳ ହୋଇଛି। ମଙ୍ଗଳବାର ପୁଣି ବିଡିଏ, ଜିଲା ପ୍ରଶାସନ ଓ ବସ୍‌ମାଲିକ ସଂଘ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକର ପ୍ରଥମ ପର୍ଯ୍ୟାୟରେ ଅନ୍ତଃରାଜ୍ୟ ବସ୍‌, ଓଏସ୍‌ଆରଟିସି ବସ୍‌ଗୁଡିକର ରୁଟ୍‌ ପରିବର୍ତ୍ତନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ବ୍ରହ୍ମପୁର ଏବଂ ବ୍ରହ୍ମପୁର ଦେଇ ବିଭିନ୍ନ ଜିଲାରୁ ଯାତାୟାତ କରୁଥିବା ଉଭୟ ଘରୋଇ ଓ ଓଏସ୍‌ଆରଟିସି ବସ୍‌ଗୁଡିକ ହଳଦିଆପଦର ଷ୍ଟାଣ୍ଡରୁ ଯାତାୟାତ କରିବାକୁ ନିଷ୍ପତ୍ତି ନିଆଯାଇଛି । ମାସକ ମଧ୍ୟରେ ଏହି ବସ୍‌ ହଳଦିଆ ପଦର ଷ୍ଟାଣ୍ଡରୁ ପରୀକ୍ଷାମୂଳକ ଭାବେ ଚଳାଚଳ କରିବାକୁ ନେଇ ସୂଚାଯାଇଛି। ହଳଦିଆପଦର ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ନେଇ ପ୍ରଶାସନ ପକ୍ଷରୁ ହୋଇଥିବା ସମସ୍ତ ବୈଠକ ସଫଳ ହୋଇପାରି ନ ଥିବା ବେଳେ ମଙ୍ଗଳବାର ବିଡିଏ ସମ୍ମିଳନୀ କକ୍ଷରେ ପୁଣି ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ଜିଲାପଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହଳଦିଆପଦର ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବା ନେଇ ରହିଥିବା ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସହର ମଧ୍ୟ ଦେଇ ହଜାର ହଜାର ବସ୍‌ ଯାତାୟାତ କରୁଛି। ହଳଦିଆପଦରକୁ ଏତେ ସଖ୍ୟକ ଘରୋଇ ବସ୍‌ଗୁଡିକ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ହୋଇଥିବା ରୁଟ ଚାଟ ଯଥେଷ୍ଟ ନ ଥିବା ବସ୍‌ ମାଲିକ ସଂଘ ପକ୍ଷରୁ କୁହାଯାଇଥିଲା । ବିନା ଅଣ୍ଡରପାସ୍‌ରେ ଘରୋଇ ବସ୍‌ଗୁଡିକୁ ହଳଦିଆପଦର ଟର୍ମିନାଲକୁ ସ୍ଥାନାନ୍ତର କରାଗଲେ ଦୁର୍ଘଟଣା ଓ ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ସୃଷ୍ଟିର ସମ୍ଭାବନା ଥିବା ମାଲିକମାନେ କହିଥିଲେ। ଟର୍ମିନାଲକୁ କାର୍ଯ୍ୟକ୍ଷମ କରିବା ନେଇ ପ୍ରଥମ ପର୍ଯ୍ୟାୟରେ କେବଳ ସରକାରୀ ତଥା ଓଏସ୍‌ଆରଟିସି ବସ୍‌ଗୁଡିକୁ ହଳଦିଆପଦର ଷ୍ଟାଣ୍ଡକୁ ସ୍ଥାନାନ୍ତର କରାଯିବା ନେଇ ଜିଲାପାଳ ସୂଚାଇଥିଲେ। ଆସନ୍ତା ଏକମାସ ମଧ୍ୟରେ ସହର ମଧ୍ୟ ଦେଇ କିମ୍ବା ବାହାରକୁ ଯାତାୟାତ କରୁଥିବା ସମସ୍ତ ଘରୋଇ ବସ୍‌ ଓ ଓଏସ୍‌ଆରଟିସି ବସକୁ ହଳଦିଆପଦର ଟର୍ମିନାଲକୁ ସ୍ଥାନାନ୍ତର କରାଯିବ। ଉକ୍ତ ବସ୍‌ଗୁଡିକ ଟାଉନ ମଧ୍ୟରେ ପ୍ରବେଶ ନ କରି ସିଧା ହଳଦିଆପଦର ଷ୍ଟାଣ୍ଡକୁ ଯିବେ। ଅନ୍ୟସମସ୍ତ ଆନ୍ତଜିଲା ଅର୍ଥାତ ଆଞ୍ଚଳିକ ଘରୋଇ ବସ୍‌ ପୁରୁଣା ସିଟି ବସ୍‌ଷ୍ଟାଣ୍ଡ ଓ ସହର ମଧ୍ୟଦେଇ ଯାତାୟାତ କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଘରୋଇ ବସ୍‌ଗୁଡିକୁ ହଳଦିଆପଦର ଷ୍ଟାଣ୍ଡକୁ ସ୍ଥାନାନ୍ତର କରାଯିବାକୁ ନେଇ ବିଚାର କରାଯିବ ବୋଲି ଜିଲାପାଳ ସୂଚାଇଥିଲେ । ଏଥିସହ ରାତିରେ ଯାତ୍ରୀଙ୍କ ସୁବିଧା ପାଇଁ ନୂତନ ବସ୍‌ଟର୍ମିନାଲରୁ ଦୁଇଟି ସ୍ବତନ୍ତ୍ର ସେଟେଲ ବସ୍‌ ଯାତାୟାତ କରିବ। ପ୍ରଶାସନ ପକ୍ଷରୁ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଏହି ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ ସୂଚାଇଥିଲେ।