
ବର୍ତ୍ତମାନ କରୋନାକୁ ଦୃଷ୍ଟିରେ ରଖି ୧୮ବର୍ଷରୁ ୪୪ବର୍ଷ ଏବଂ ୪୫ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ବ୍ୟକ୍ତିମାନେ ୨ଟି ଡୋଜ୍ ଟିକା ଗ୍ରହଣ କରିବା ଉଚିତ ବୋଲି ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଅନ୍ତତ୍ସ୍ରାବ୍ୟ ବିଭାଗ ସହଯୋଗୀ ପ୍ରଫେସର ଡାକ୍ତର ପି.ରବି କୁମାର ୟୁଟିଭିକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପରାମର୍ଶ ଦେଇଛନ୍ତି । ପୂର୍ବରୁ ପ୍ରଥମ ଡୋଜ୍ ନେବା ପରେ ଏହାର ୨୮ଦିନ ପରେ ଦ୍ୱିତୀୟ ଡୋଜ ନେବାପାଇଁ କୁହାଯାଉଥିଲା । ବର୍ତ୍ତମାନ ପ୍ରଥମ ଡୋଜ୍ର ୮୪ଦିନ ପରେ ଦ୍ୱିତୀୟ ଡୋଜ୍ ନେବା ପାଇଁ କୁହାଯାଉଛି । ଏହାଦ୍ୱାରା ରୋଗୀଙ୍କ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ ବୋଲି ଡାକ୍ତର ରବି କୁମାର କହିଛନ୍ତି । ୨ଟି ମାତ୍ରାର ବ୍ୟବଧାନ ବୃଦ୍ଧି ହେଲେ ମଧ୍ୟ ଏଥିରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି । ସାଧାରଣତଃ ଆମ ରାଜ୍ୟରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ୨ଟି ପର୍ଯ୍ୟାୟରେ ପ୍ରଦାନ କରାଯାଉଛି । ଏହାଦ୍ୱାରା ଟିକାଧାରୀଙ୍କ ଆଣ୍ଟିବଡି ଦୁଇଗୁଣାରୁ ଅଧିକ ହୋଇଥାଏ ବୋଲି ସେ କହିଛନ୍ତି । ତେଣୁ ବାର ସପ୍ତାହ ବ୍ୟବଧାନରେ କୋଭିସିଲ୍ଡ ଟିକା ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।






