
କରୋନା ମହାମାରୀ ସମୟରେ ପ୍ରତ୍ୟେକ ଜନସାଧାରଣ ନିଜେ ନିଜକୁ ସତର୍କ ରଖିବା ପାଇଁ ବରିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ପ୍ରମୋଦ ଅଗ୍ରୱାଲ୍ ପ୍ରକାଶ କରିଛନ୍ତି । ବିଶେଷ କରି କରୋନା ଆକ୍ରାନ୍ତ ସମୟରେ ଅକ୍ସିଜେନ୍ର ବହୁ ଗୁରୁତ୍ୱ ରହିଛି । ତେଣୁ ମଧୁମେହ, ଉଚ୍ଚ ରକ୍ତଚାପ ଓ କର୍କଟ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ଏଥିପ୍ରତି ନିଜେ ନିଜକୁ ଅଧିକ ସତର୍କ ରଖିବା ଉଚିତ ବୋଲି ସେ କହିଛନ୍ତି । ଏ କ୍ଷେତ୍ରରେ ଆକ୍ରାନ୍ତ ମାନେ ସଂଜମତା ରକ୍ଷା କରିବା ସହ ନିଜେ ନିଜକୁ ଅଧିକ ଯତ୍ନବାନ କରିବା ଉଚିତ । ୬ମିନିଟ ୱାକ୍ ଟେଷ୍ଟ ସଂକ୍ରାନ୍ତରେ ଡାକ୍ତର ଅଗ୍ରୱାଲ ସୁଚନା ଦେଇ କହିଛନ୍ତି ଯେ ୬ମିନିଟ୍ରେ ୫ଶହ ମିଟର ଚାଲିଲେ ଯଦି ଅକ୍ସିଜେନ୍ ସାଚୁରେସନ ୫ ପ୍ରତିଶତ କମିଯାଏ କିମ୍ବା ୯୦ ପ୍ରତିଶତରୁ କମ୍ ହୁଏ ସେ ସମୟରେ ରୋଗ ବଢ଼ୁଛି । ତେଣୁ ଅଧିକ ସତର୍କ ହେବା ସହ ତୁରନ୍ତ ଡାକ୍ତରୀ ପରାମର୍ଶ କରିବାକୁ ସେ କହିଛନ୍ତି । ତେବେ କୌଣସି ରୋଗୀ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ରୋଗୀର ଲକ୍ଷଣ ଓ ରିପୋର୍ଟ ଦ୍ୱାରା କୋଭିଡକୁ ତିନିଭାଗ କରାଯାଇଛି । ୮୦ ପ୍ରତିଶତ ରୋଗୀ ପ୍ରଥମ ଗୃପ୍ରେ ଆସୁଥିବାବେଳେ ସେମାନଙ୍କ କ୍ଷେତ୍ରରେ ସାମାନ୍ୟ ଜ୍ୱର, କାଶ, ଗଳା ଦରଜ, ନାକରୁ ପାଣି ବାହାରିବା, ମୁଣ୍ଡ ବ୍ୟଥା ହେବା, ଅଣ୍ଟା ବିନ୍ଧିବା ଓ ଆଖି ଲାଲ୍ ଦେଖାଯାଇଥାଏ । ଅକ୍ସିଜେନ ସାଚୁରେସନ ୯୫ ପ୍ରତିଶତ ଉପରେ ରହେ । ସେମାନଙ୍କ ରୋଗ ୭ଦିନରେ କମିଯାଏ । ଯଦି ମଧୁମେହ ଓ ଅନ୍ୟାନ୍ୟ ରୋଗୀମାନେ ଆକ୍ରାନ୍ତ ହୁଅନ୍ତି, ପ୍ରଥମ ଦିନଠାରୁ ୨ଥର, ୬ମିନିଟ୍ରେ ୫ଶହ ମିଟର ଚାଲି ଦେଖିବା ଆବଶ୍ୟକ । ଯଦି ସାଚୁରେସନ ୫ ପ୍ରତିଶତରୁ କମିଯାଏ ତେବେ ରୋଗୀର ନିମୋନିଆ ବଢ଼ୁଛି, ଏ କ୍ଷେତ୍ରରେ ହସ୍ପିଟାଲ୍ ଓ ଅକ୍ସିଜେନ୍ର ଆବଶ୍ୟକ ରହିଛି । ଅନ୍ୟ ଏକ ଗୃପ୍ରେ ସବୁ ଲକ୍ଷଣ ଅଧିକ ଥାଏ । ସାଚୁରେସନ ୯୦ ପ୍ରତିଶତରୁ କମିଯାଏ । ଫଳରେ ରୋଗୀ ଧଇଁସଇଁ ହୁଏ । ଏମାନଙ୍କୁ ହସ୍ପିଟାଲ୍ ସେବା ଆବଶ୍ୟକ ବୋଲି ଡାକ୍ତର ଅଗ୍ରୱାଲ କହିଛନ୍ତି । ତେଣୁ କରୋନା ଆକ୍ରାନ୍ତ ରୋଗୀମାନେ ଭୟଭୀତ ନହୋଇ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ସହ ହସ୍ପିଟାଲ୍ର ଚିକିତ୍ସା ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି ।






