
ଆସିକା ନିକଟସ୍ଥ ନଳବଣ୍ଟା ଗ୍ରାମରେ ଥିବା ବେଆଇନ ବାଣ କାରଖାନାରେ ପୋଲିସ ତରଫରୁ ଚଢ଼ାଉ କରାଯାଇ ୭୦ଲକ୍ଷ ଟଙ୍କାର ବାଣ ସହ ସରଂଜାମ ଜବତ କରାଯାଇଛି । ଏଥିସହ ୩ଜଣ ଅଭିଯୁକ୍ତ ନଳବଣ୍ଟାର ସଂତୋଷ ପାଢ଼ୀ, ଜୀବନ ସେଠୀ ଓ ବିପ୍ର ଚରଣ ସେଠୀଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୁଚନା ଦେଇଛନ୍ତି । ପୂର୍ବରୁ ନଳବଣ୍ଟାରେ ବାଣ ବିସ୍ଫୋରଣ ଘଟି ବହୁ ଧନଜୀବନ ନଷ୍ଟ ହୋଇଥିବା ଯୋଗୁଁ ସୋମବାର ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ନଳବଣ୍ଟାର ୫ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏହି ବାଣ ଜବତ କରାଯିବା ପରେ ୭ଟି ଭ୍ୟାନ୍ରେ ବୋଝେଇ କରି ପୋଲିସ ଏହାକୁ ଜବତ କରିଥିଲା । ଏତେ ପରିମାଣର ବାଣ ଜବତ କରାଯିବା ଘଟଣା ଆଗରୁ କେବେ ଦେଖିବାକୁ ମିଳିନଥିଲା । ଏହି ଚଢ଼ାଉ ସମୟରେ ଉପଖଣ୍ଡ ପୋଲିସ ଅଧିକାରୀ ସୁର୍ଯ୍ୟମଣୀ ପ୍ରଧାନ, ଆସିକା ଅତିରିକ୍ତ ତହସିଲଦାର ଆଶୁତୋଷ ସୌରଭ କରଙ୍କ ସମେତ ଗୋଟିଏ ପ୍ଲାଟୁନ ଫୋର୍ସ ସାମିଲ ହୋଇଥିଲେ ।






