ଲଘୁଚାପ ଜନିତ ପ୍ରବଳ ବର୍ଷାରେ ବ୍ରହ୍ମପୁର ସହର ଜଳାର୍ଣ୍ଣବ, ରାସ୍ତା ଉପରେ ନର୍ଦ୍ଧମା ଜଳ, ତଳିଆ ଅଂଚଳରେ ଘରେ ଘରେ ପଶିଲା ପାଣି, ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ

ଲଘୁଚାପ ଜନିତ ବର୍ଷା ଫଳରେ ଗୁରୁବାର ପ୍ରାତଃ ସମୟରୁ ମହାନଗରର ବିଭିନ୍ନ ଅଂଚଳ ଜଳମଗ୍ନ ହୋଇପଡ଼ିଥିଲା । ଏପରି ବର୍ଷା ଯୋଗୁଁ ମହାନଗରର ବିଭିନ୍ନ ମୁଖ୍ୟ ରାସ୍ତା ପାଶ୍ୱର୍ରେ ପାଣି ଜମି ରହିବା ସହ ବହୁ ଘରେ ଓ ବସ୍ତିରେ ପାଣି ପଶିଯାଇଥିଲା । ଫଳରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପାଣି ପଶିଯିବା ଫଳରେ ବହୁ ପରିବାର ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏପରି ବର୍ଷା ଯୋଗୁଁ ବହୁ ବିଦ୍ୟାଳୟକୁ ଛୁଟି କରାଯାଇଥିବାବେଳେ ଅନେକ ଛାତ୍ରଛାତ୍ରୀ ବହୁ ଅସୁବିଧାରେ ସ୍କୁଲକୁ ଯାଇଥିଲେ । ଭବାନି ନଗର ପ୍ରଥମ ଲାଇନ, ସେଲ୍ସଟେକ୍ସ ଛକ ମୁଖ୍ୟରାସ୍ତା, ଅଶୋକ ନଗର, ଅରବିନ୍ଦ ନଗର, ଗାନ୍ଧିନଗର, ଗଜପତିନଗର, ନୀଳାଂଚଳ ନଗର, ଲୋଚାପଡ଼ା ଶକ୍ତିନଗର, ବ୍ୟାଙ୍କ କଲୋନୀ, ଅନନ୍ତ ନଗର, ଲକ୍ଷ୍ମୀ ନୃସିଂହ ସାହି,କେ.ସି ଟାଉନ ହାଇସ୍କୁଲ, ମୁନିସିପାଲ୍ଟି ସମ୍ମୁଖ ରାସ୍ତା, ଟାଟାବେଂଚ ସମ୍ମୁଖ ମୁଖ୍ୟ ରାସ୍ତା ସମେତ ଅନ୍ୟାନ୍ୟ ଅଂଚଳରେ ଏପରି ବର୍ଷା ଓ ନାଳ ପାଣି ଜମି ରହିଥିଲା । ବହୁ ସ୍ଥାନକୁ କମିଶନର ଚକ୍ରବର୍ତ୍ତି ସିଂ ରାଠୋର ଗସ୍ତ କରି ଜଳ ନିଷ୍କାସନର ବ୍ୟବସ୍ଥା କରିଥିଲେ । ଏପରି ବର୍ଷା ଯୋଗୁଁ ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ ନେଇ ବ୍ୟବସ୍ଥା କରାଯାଉ ବୋଲି ସାଧାରଣରେ ଦାବି ହୋଇଛି ।