ପୋଲିସ ଡିଜି ଅଭୟଙ୍କ ଦ୍ୱିତୀୟ ଥର ବ୍ରହ୍ମପୁର ଗସ୍ତ, ଗଂଜାମ ଜିଲ୍ଲାରେ କରୋନା ସ୍ଥିତି ନେଇ ସମୀକ୍ଷା, ଗିରିସୋଲା ଗେଟ୍ରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା ।

ଗଂଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ରବିବାର ପୋଲିସ ଡିଜି ଅଭୟ ବ୍ରହ୍ମପୁର ଗସ୍ତ କରି ଦ୍ୱିତୀୟ ଥର ପାଇଁ ସମୀକ୍ଷା କରିଥିଲେ । ଏହି ଅବସରରେ ଡିଆଇଜି ସତ୍ୟବ୍ରତ ଭୋଇ, ଗଂଜାମ ଏସ୍ପି ବ୍ରିଜେଶ ରାଏ ଓ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଗଂଜାମ ଜିଲ୍ଲାକୁ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କରେ ଏଠାରେ ଡିଜି ଆଲୋଚନା କରିବା ସହ ଗିରିସୋଲା ଗେଟ୍ ନିକଟରେ ପୋଲିସ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ବିଭିନ୍ନ ସଂଗରୋଧ କେନ୍ଦ୍ର ନିକଟରେ ୧୪୪ ଧାରା ଜାରି କରାଯାଇଥିବା ଯୋଗୁଁ ଏଥିନେଇ ମଧ୍ୟ ଆଲୋଚନା ହୋଇଥିଲା । ଲୋକମାନଙ୍କ କିପରି ସୁରକ୍ଷା ବ୍ୟବସ୍ଥା କରାଯାଇପାରିବ ସେଥନେଇ ଡିଜି ଗୁରୁତ୍ୱାରୋପ କରିଥିଲେ । କୋଭିଦ ମୁକାବିଲା ନେଇ ଏଠାରେ ବିଷଦଭାବେ ଆଲୋଚନା କରାଯାଇଥିବା ଯେପରି ଲୋକମାନେ ଶୃଙ୍ଖଳାରେ ରହିବେ ସେଥିପାଇଁ ବିଶେଷ ଦୃଷ୍ଟି ଦିଆଯାଇଥିବା ଦକ୍ଷିଣାଂଚଳ ଡିଆଇଜି ଭୋଇ କହିଛନ୍ତି । ମାକ୍ସ ପିନ୍ଧିବା ଏବଂ ସମଦୁରତା ରକ୍ଷାକୁ ସମସ୍ତେ ମାନିବାକୁ ଡିଆଇଜି ଭୋଇ ପରାମର୍ଶ ଦେଇଛନ୍ତି ।