
ଗଂଜାମ ଜିଲ୍ଲାରେ କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଭାଳେଣୀ ସୃଷ୍ଟି ହୋଇଥିବାବେଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୁତି ବିଭାଗରେ ରବିବାର ଏକ ଅଭାବନୀୟ ଘଟଣା ଘଟିଥିବା ଯୋଗୁଁ ଏହା ସାଧାରଣରେ ଆଲୋଚନାର ବିଷୟ ହୋଇଛି । ଜନୈକା ମହିଳାଙ୍କ ସ୍ୱାମୀ ଜଣେ ଡାକ୍ତରଙ୍କ କାନକୁ କାମୁଡ଼ି ଛିଣ୍ଡାଇ ଦେବା ସହ କିଛି ଅନ୍ୟ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗକୁ ନେଇ ଡାକ୍ତରଖାନାରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇବା ସହ ବୈଦ୍ୟନାଥପୁର ଥାନାରେ ଏଥିନେଇ ମାମଲା ରୁଜୁ ହୋଇଛି । ଜଣେ ରୋଗୀଙ୍କ ସ୍ୱାମୀ ତଥା ପୁରୁଷୋତ୍ତମପୁର ଅଂଚଳର ତାରିଣୀ ମହାପାତ୍ର ଡାକ୍ତର ସାକିଲ୍ ଖାନ୍ଙ୍କୁ ଏପରି କାନକୁ କାମୁଡ଼ି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ଏଏସ୍ପି ପ୍ରଭାତ ରାଉତରାୟ, ଏସ୍ଡିପିଓ ବିଷ୍ଣୁ ପତି ଓ ଥାନାଧିକାରୀ ଏହାର ତଦନ୍ତ କରିବା ସହ ପରିସ୍ଥିତି ପ୍ରତି ଦୃଷ୍ଟି ରଖିଛନ୍ତି ।






