
କରୋନା କଟକଣା ଯୋଗୁଁ ରାଜ୍ୟରେ ମାଟ୍ରିକ ଖାତା ମୂଲ୍ୟାୟନ ବନ୍ଦ ରହିଥିଲା । ତେବେ ମେ ୨୦ ତାରିଖରୁ ପୁଣି ଏହି ଖାତା ମୂଲ୍ୟାୟନ ଆରମ୍ଭ ହେବ ବୋଲି ଶନିବାର ଗଣ ଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୁଚନା ଦେଇଛନ୍ତି । ଏଥିନେଇ ଏକ ବୈଠକ ଶନିବାର ଆୟୋଜନ କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି । ମେ ୧୯ରୁ ଖାତା ଦେଖିବାକୁ ପରୀକ୍ଷା ନିରିକ୍ଷକ ରିପୋର୍ଟ କରିବେ ବୋଲି ନିର୍ଦେଶ ଦିଆଯାଇଛି । ତେବେ ଜୁଲାଇ ଶେଷସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ କହିଛନ୍ତି । କରୋନା ଯୋଗୁଁ ଖାତାଦେଖା ବେଳେ ପ୍ରତି କେନ୍ଦ୍ରରେ ସାମାଜିକ ଦୁରତା ରକ୍ଷା କରାଯିବ । ମୂଲ୍ୟାୟନ କେନ୍ଦ୍ରରେ କୋଭିଦ ନିୟମ ପାଳନ କରାଯିବ । ଖାତା ଦେଖୁଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚଳିତ ବର୍ଷ ସ୍ୱତନ୍ତ୍ର ପ୍ରୋତ୍ସାହନ ଦିଆଯିବ ବୋଲି ମନ୍ତ୍ରୀ ବୋର୍ଡକୁ ପରାମର୍ଶ ଦେଇଛନ୍ତି । ସୁଚନାଯୋଗ୍ୟ ଫେବୃୟାରୀ ୧୯ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ହୋଇଥିଲା । ମାର୍ଚ୍ଚ ୧୮ ଓ ୧୯ ତାରିଖ ୨ଦିନ ଧରି ଖାତା ମୂଲ୍ୟାୟନ ହେବା ପରେ କରୋନା ପାଇଁ ମୂଲ୍ୟାୟନକୁ ସ୍ଥଗିତ ରଖାଯାଇଥିଲା । ଚଳିତବର୍ଷ ରାଜ୍ୟରେ ସାଢେ଼ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି ।






