
କରୋନା ଲକ୍ ଡାଉନ କଟକଣା ଯୋଗୁଁ ବହୁ ପ୍ରବାସୀ ଓଡ଼ିଆ ବିଭିନ୍ନ ରାଜ୍ୟରେ ଫଶିରହିଛନ୍ତି । ଏହି ପ୍ରବାସୀ ଓଡ଼ିଆମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ପ୍ରତିଦିନ ବାହାର ରାଜ୍ୟରୁ ପ୍ରବାସୀ ଓଡ଼ିଆମାନେ ଓଡ଼ିଶାକୁ ଫେରୁଛନ୍ତି । ବିଶେଷ କରି ସୁରାଟରୁ ପ୍ରତିଦିନ ଟ୍ରେନ୍ ଯୋଗେ ବହୁ ପ୍ରବାସୀ ଓଡ଼ିଆ ଗଂଜାମ ଜିଲ୍ଲାକୁ ଆସି ଜଗନ୍ନାଥପୁର ରେଳ ଷ୍ଟେସନ୍ରେ ପ୍ରଶାସନିକ ବ୍ୟବସ୍ଥା ଅନୁଯାୟୀ ଓହ୍ଲାଉଛନ୍ତି । ଏହି ଯାତ୍ରୀମାନଙ୍କୁ ଷ୍ଟେସନ୍ ନିକଟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ନିଜ ନିଜ ଗ୍ରାମ ଅଂଚଳରେ ଥିବା ସଂଗରୋଧ କେନ୍ଦ୍ରକୁ ବସ୍ଯୋଗେ ପଠାଇ ଦିଆଯାଉଛି । ଜିଲ୍ଳାପାଳ ବିଜୟ ଅମୃତା କୁଲାଂଗେଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି । ପ୍ରତି ଟ୍ରେନ୍ରେ ୧୨ଶହରୁ ୧୩ଶହ ପର୍ଯ୍ୟନ୍ତ ଯାତ୍ରୀ ଆସୁଥିବା କୁହାଯାଇଛି । ଏହି ସମସ୍ତ ଯାତ୍ରୀ ସଂଗରୋଧ କେନ୍ଦ୍ର ଗୁଡ଼ିକରେ ୨୧ଦିନ ଓ ପରେ ନିଜ ଘରେ ୭ଦିନ ରହିବେ ବୋଲି ସରକାରଙ୍କ ପକ୍ଷରୁ ନିର୍ଦେଶ ଜାରି ହୋଇଛି ।






