
ଗଂଜାମ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ସଂଧ୍ୟାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଆୟୋଜନ କରାଯାଇଥିଲା । ସଂଗରୋଧ କେନ୍ଦ୍ର ନିକଟରେ ୧୪୪ଧାରା ଜାରି କରାଯାଇଥିବା ଯୋଗୁଁ ଯେପରି କେହି କେନ୍ଦ୍ର ନିକଟକୁ ନଯିବେ ସେଥିନେଇ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଏଠାରେ ଗୁରୁତ୍ୱାରୋପ କରିଥିଲେ । କରୋନା ପଜିଟିଭ ରୋଗୀମାନଙ୍କୁ କିପରି ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦିଆଯାଇପାରିବ ସେଥିନେଇ ଏଠାରେ କାର୍ଯ୍ୟରତ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ । ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ନେଇ ମଧ୍ୟ ଏଠାରେ ଆଲୋଚନା କରାଯାଇଥିଲା । କେବଳ ସଂଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ସ୍ୱାବ ପରୀକ୍ଷା ପରେ କରୋନା ପଜିଟିଭ ଚିହ୍ନଟ ହେଉଥିବା ଯୋଗୁଁ ଅନ୍ୟ ଅଂଚଳବାସୀ ଏଥିପାଇଁ ଭୟଭୀତ ନହେବାକୁ ଜିଲ୍ଲାପାଳ ଏଠାରେ ସୁଚନା ଦେଇଥିଲେ । ତେବେ ସମସ୍ତେ ସମ ଦୁରତା ଅବଲମ୍ବନ କରିବା ସହ ମାକ୍ସ ପରିଧାନ କରିବା ଉଚିତ ବୋଲି ସେ କହିଥିଲେ । ସେହିପରି କୌଣସି ସଂଗରୋଧ କେନ୍ଦ୍ର ନିକଟକୁ କେହି ନଯିବାକୁ ସେ ପରାମର୍ଶ ଦେଇଥିଲେ ।






