
ଭୋଟର ମତଦାନ ସଂଶୋଧନ କାର୍ଯ୍ୟକ୍ରମ ନେଇ ରବିବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଭୋଟର ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା । ଭୋଟର ତାଲିକା ସଂଶୋଧନ, ନୂତନ ଭୋଟର ନାମ ପଂଜିକରଣ ଏବଂ ସଂଶେଧିତ ଭୋଟର ତାଲିକାର ଚୁଡ଼ାନ୍ତକରଣ କରାଯିବା ନେଇ ଏପରି ସଚେତନତା ରଥକୁ ସହକାରୀ ଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ମାଜିଷ୍ଟେ୍ରଟ ଡି.ମାଲେଶ୍ୱର ପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଖଣ୍ଡର ସମସ୍ତ କ୍ଲର୍କ ଓ ପଂଚାୟତ ଏବଂ ଗ୍ରାମର ବୁଥ୍ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ୩୦ ତାରିଖ ପର୍ଯ୍ୟନ୍ତ ପ୍ରତି ଗ୍ରାମର ବିଏଲ୍ଓଙ୍କୁ ଦରଖାସ୍ତ ମାଧ୍ୟମରେ ନୂତନ ଭାବେ ଭୋଟ ପଂଜିକୃତ କରିବାପାଇଁ ଆବେଦନ କରିପାରିବେ ବୋଲି କୁହାଯାଇଥିଲା । ମତଦାତା ଯାଂଚ କରି ଅଧିକ ଜାଣିବାପାଇଁ ଭୋଟ ହେଲ୍ପ ଲାଇନ ନଂ ୧୯୫୦କୁ ଫୋନ କରିପାରିବେ ଏବଂ ସମସ୍ତ ମତଦାତା ମାନଙ୍କୁ ଭୋଟର ତାଲିକାରେ ନିଜର ନାମ ଅଛିକି ନାହିଁ ଯାଂଚ କରି ବୁଥ୍ ସ୍ତରୀୟ ଆବେଦନକାରୀଙ୍କୁ ନିଜର ପରିଚୟପତ୍ର ପ୍ରଦାନ କରି ଆବେଦନ କରିପାରିବେ ବୋଲି ଏଠାରେ ସୁଚନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହକାରୀ ଉପଜିଲ୍ଲାପାଳ ବିନୋଦ କୁମାର ବେହେରାଙ୍କ ସମେତ ସମସ୍ତ ବିଏଲ୍ଓ ଏବଂ କାର୍ଯ୍ୟାଳୟର କର୍ମକର୍ତ୍ତା ଯୋଗଦେଇଥିଲେ ।






