
ରାଜ୍ୟରେ ରବିବାର ସଂଧ୍ୟା ସୁଦ୍ଧା କରୋନା ପଜିଟିଭ ସଂଖ୍ୟା ୧୬୨କୁ ବୃଦ୍ଧି ପାଇଛି । ଗଂଜାମ ଜିଲ୍ଲାରେ ପ୍ରଥମ ଥର ପାଇଁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଏହି ୨ ଜଣ ଯାତ୍ରୀ ସୁରାଟ ଫେରନ୍ତା ବୋଲି କୁହାଯାଇଛି । ଗଂଜାମ ଜିଲ୍ଲାରେ କରୋନା ପଜିଟିଭ ବାହାରିବା ପରେ ଜିଲ୍ଲାରେ ଚହଳ ସୃଷ୍ଟି ହୋଇଛି । ଟାଟା ତରଫରୁ ପ୍ରସ୍ତୁତ ରହିଥିବା କୋଭିଦ ହସ୍ପିଟାଲ୍କୁ ଅଧିକ ସକ୍ରୀୟ କରାଯିବା ସହ ୧୬ଜଣ ଡାକ୍ତରଙ୍କ ମଧ୍ୟରୁ ୪ଜଣ ଡାକ୍ତର ଓ ଅନ୍ୟାନ୍ୟ ଷ୍ଟାଫ୍ଙ୍କୁ ଏହି ଅସ୍ପିଟାଲ୍ରେ ଦାୟିତ୍ୱ ପ୍ରଦାନ କରାଯାଇଛି । ପୂର୍ବରୁ ଗଂଜାମ ଜିଲ୍ଲାରେ କୌଣସି କରୋନା ପଜିଟିଭ ନଥିବା ଫଳରେ ବର୍ତ୍ତମାନ ଡାକ୍ତର ଓ କର୍ମଚାରୀମାନଙ୍କୁ ଅଧିକ ଦୃଷ୍ଟିଦେବା ଜରୁରୀ ହୋଇପଡ଼ିଛି । ଟାଟା ହସ୍ପିଟାଲ୍ ସହ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ମଧ୍ୟ ଏଥିପାଇଁ ଡାକ୍ତର ଓ କର୍ମଚାରୀ ସ୍ୱତନ୍ତ୍ରଭାବେ ଦୃଷ୍ଟିଦେବାପାଇଁ ବ୍ୟବସ୍ଥା କରାଯାଇଛି । ଶନିବାର ରାତ୍ର ସୁଦ୍ଧା ଗଂଜାମ ଜିଲ୍ଲାରେ ଏମ୍କେସିଜି ମେଡ଼ିକାଲ୍ କଲେଜକୁ ମିଶାଇ ୧ହଜାର ୯୦୪ଜଣଙ୍କ ସ୍ୱାବ ଟେଷ୍ଟ କରାଯାଇଥିବାବେଳେ ଆସିଥିବା ରିପୋର୍ଟ ଅନୁଯାୟୀ ୧ହଜାର ୩୭୯ଜଣଙ୍କ ସ୍ୱାବ ରିପୋର୍ଟ ନେଗେଟିଭ ରହିଛି ।






