
ଗଂଜାମ ଓକିଲ ସଂଘର ୨ଜଣ ସଦସ୍ୟଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ତହସିଲଦାର ଦୁର୍ବ୍ୟବହାର କରିଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଉପଜିଲ୍ଲାପାଳ ଜନୈକ ଆଇନଜୀବୀଙ୍କୁ ମାକ୍ସ ପିନ୍ଧି ନଥିବା ଯୋଗୁଁ ରେଡକ୍ରସ ବାବଦକୁ ୨ଶହ ଟଙ୍କା ପ୍ରଦାନ କରିବାକୁ କହିଥିବା ଯୋଗୁଁ ଏହାକୁ ନେଇ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି । ଏହାର ପ୍ରତିବାଦରେ ଶନିବାର ଗଂଜାମ ଓକିଲ ସଂଘର ସଦସ୍ୟମାନେ ଶୋଭାଯାତ୍ରାରେ ବାହାରି ବ୍ରହ୍ମପୁର ଉପଜିଲ୍ଲାପାଳ, ତହସିଲଦାର ଓ ଆର୍ଡିସିଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ପରେ ପରେ ଏକ ଦାବିପତ୍ର ଆର୍ଡିସିଙ୍କ ସଚିବଙ୍କୁ ପ୍ରଦାନ କରି ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାପାଇଁ ଦାବି କରିଥିଲେ । କୋର୍ଟ ପରିସରରେ ଜନୈକ ଆଇନଜୀବୀଙ୍କଠାରୁ ମାକ୍ସ ପରିଧାନ କରିନଥିବା ଯୋଗୁଁ ଜୋରିମାନା ଆଦାୟ କରାଯିବାକୁ ନେଇ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି ।






