
କେରଳରୁ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ବହୁ ଯାତ୍ରୀ ଓଡ଼ିଶା ଅଭିମୂଖେ ଆସୁଛନ୍ତି । ଏହି ଯାତ୍ରୀମାନେ ବ୍ରହ୍ମପୁର ନିକଟ ଜଗନ୍ନାଥପୁର ରେଳ ଷ୍ଟେସନ୍ ଓ ଖୋର୍ଦ୍ଧା ଷ୍ଟେସନ୍ରେ ଓହ୍ଲାଇବେ ବୋଲି ସୁଚନା ମିଳିଛି । ଗଂଜାମ ଓ କନ୍ଧମାଳରୁ ପ୍ରାୟ ୫୦୦ ଜଣ ଯାତ୍ରୀ ଏହି ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଆସୁଛନ୍ତି । ସୁରକ୍ଷା ଦୃଷ୍ଟିରୁ ଏହି ଟ୍ରେନ୍ ବ୍ରହ୍ମପୁର ରେଳ ଷ୍ଟେସନ୍ରେ ରହିବ ନାହିଁ । ଜଗନ୍ନାଥପୁରରେ ଟ୍ରେନ୍ ରହିବାକୁ ଥିବା ଯୋଗୁଁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ, ଗଂଜାମ ଏସ୍ପି ବ୍ରିଜେଶ ରାଏ, ଆର୍ଟିଓ ସଂଜୟ ବିଶ୍ୱାଳ, ମହାନଗର କମିଶନର ଚକ୍ରବର୍ତ୍ତି ସିଂ ରାଠୋର ଓ ନଗର ଉନ୍ନୟନ କମିଶନର ଜି.ମାଥିଭାଥନନ୍, ଜଗନ୍ନାଥପୁର ରେଳ ଷ୍ଟେସନ୍ରେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଯାତ୍ରୀମାନେ ପହଂଚିବା ପରେ ସେମାନଙ୍କ ସୁରକ୍ଷା ପାଇଁ ଏଠାରେ ଆଲୋଚନା କରାଯାଇଥିଲା । ଯାତ୍ରୀମାନଙ୍କୁ ନିଜ ନିଜ ଅଂଚଳରେ କ୍ୱାରେଣ୍ଟାଇନ୍ରେ ରଖାଯିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା । ଏହି ଟ୍ରେନ୍ରେ ଗଂଜାମର ୧୩୧ଜଣ, ବୌଦ୍ଧ ଜିଲ୍ଲାର ୬ଜଣ, ରାୟଗଡ଼ାର ୧୭ଜଣ, କୋରାପୁଟର ଜଣେ, ନବରଂଗପୁରର ୩ଜଣ ଓ କନ୍ଧମାଳର ୩୫୩ଜଣ ପ୍ରବାସୀ ଓଡ଼ିଆ ଆସୁଛନ୍ତି ।






