
କରୋନା କ୍ଷେତ୍ରରେ ଓଡ଼ିଶାର ପରିସ୍ଥିତି ଅନ୍ୟ ରାଜ୍ୟମାନଙ୍କ ଠାରୁ ଭଲ ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପ୍ରକାଶ କରିଛନ୍ତି । ଆମେ ଯଦି ସରକାରଙ୍କ ନିୟମ ମାନି ଚଳିବା, ଏ କ୍ଷେତ୍ରରେ ସରକାରଙ୍କୁ ପୁରା ସହଯୋଗ ଯୋଗାଇଦେବା ତେବେ ଓଡ଼ିଶା କରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିପାରିବ ବୋଲି ମୁଖ୍ୟମନ୍ତ୍ରୀ ପଟନାୟକ ସୁଚନା ଦେଇଛନ୍ତି । ଆମ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଦଶ ଦିନ ପୂର୍ବରୁ ୬୧ ରହିଥିବାବେଳେ ବର୍ତ୍ତମାନ ଏହା ଡବଲ ହୋଇଛି । କିନ୍ତୁ ଆମେ ନ ଡରି ସତର୍କ ରହିଲେ ବିପଦକୁ ଏଡ଼ାଇ ପାରିବା ବୋଲି ସେ କହିଛନ୍ତି । ପ୍ରଥମେ ଆମ ପାଇଁ ଚାଲେଂଜ ଥିବା ବିଦେଶରୁ ଫେରିଥିବା ଓଡ଼ିଆ ଭାଇଭଉଣୀଙ୍କ ଯତ୍ନ ନେବା । ସେତେବେଳେ ସମସ୍ତଙ୍କ ସହଯୋଗ ଫଳରେ ପରିସ୍ଥିତିକୁ ଭଲଭାବେ ନିୟନ୍ତ୍ରଣ କରିପାରିଲେ । ସେହିପରି ନିଜାମୁଦ୍ଧିନରୁ ଫେରିଥିବା ବନ୍ଧୁ ମାନଙ୍କ ଠିକ୍ ଭାବେ ଯତ୍ନ ନେବାପାଇଁ ସହଯୋଗ ମିଳିବା ଫଳରେ ଏହି ପରିସ୍ଥିତିକୁ ମଧ୍ୟ ନିୟନ୍ତ୍ରଣ କରିପାରିଲେ । ବର୍ତ୍ତମାନ ପଶ୍ଚିମବଂଗରୁ ବହୁ ପଜିଟିଭ ଫେରୁଛନ୍ତି । ତେଣୁ ଏଥିରେ ମଧ୍ୟ ସହଯୋଗ ରହିବା ଫଳରେ ପରିସ୍ଥିତି ନିୟନ୍ତ୍ରଣ ରହିଛି । ଆମ ରାଜ୍ୟକୁ ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ତାମିଲନାଡ଼ୁ, କର୍ଣ୍ଟାଟକ, ରାଜସ୍ଥାନ ଓ ପଶ୍ଚିମ ବଂଗରୁ ବହୁ ଓଡ଼ିଆ ଭାଇ ଭଉଣୀ ଫେରିବେ । ସେମାନେ ଆମ ଘର ଲୋକ । ବିପଦ ସମୟରେ ମା ଓ ମାତୃଭୁମି ଆଗ ଆମ ମନକୁ ଆସିଥାଏ । ତେଣୁ ସେମାନଙ୍କ ଯତ୍ନ ନେବା ଆମର ଦାୟିତ୍ୱ । ବାହାର ଲୋକ ଆସିଲେ ପଜିଟିଭ ସଂଖ୍ୟା ବଢ଼ିପାରେ । କିନ୍ତୁ ପରିସ୍ଥିତି ନିୟନ୍ତ୍ରଣରେ ରହି ପାରିବ । ଯଦି ଆପଣମାନେ ସରକାରଙ୍କୁ ପୁରା ସହଯୋଗ ଯୋଗାଇଦେବେ । ତେଣୁ ଆମେ ସାବଧାନ ରହିବା ସହ ବାହାରୁ ଫେରୁଥିବା ଲୋକଙ୍କ ପଂଜିକରଣ କରିବା, ସେମାନଙ୍କୁ ସଂଗରୋଧରେ ରଖିବାରେ ସରକାରଙ୍କୁ ପୁରା ସହଯୋଗ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଏହାଦ୍ୱାରା ସେମାନେ ସୁସ୍ଥ ରହିବେ, ଆମ ପରିବାର ସୁସ୍ଥ ରହିବ, ଆମ ଗାଁ ଓ ଆମ ସମାଜ ମଧ୍ୟ ସୁସ୍ଥ ରହିବ । ତେଣୁ ଏ କ୍ଷେତ୍ରରେ ଟିକିଏ ହେଳା ହେଲେ ସମସ୍ତଙ୍କୁ ବିପଦରେ ପକାଇପାରେ । ଏ କ୍ଷେତ୍ରରେ ସମସ୍ତେ ସହଯୋଗ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିବେଦନ କରିଛନ୍ତି ।






