
କରୋନା କଟକଣା ଲାଗି ରହିଥିବାବେଳେ ବ୍ରହ୍ମପୁରରେ ଅସାଧୁ ଗୁଟ୍ଖା ଓ ମଦ ବେପାରୀଙ୍କ ଚୋରା ବେପାର ପୋଲିସ ହାତରେ ଧରାପଡ଼ୁଛି । ବଡ଼ ବଜାର, ଟାଉନ ଥାନା, ଗୋଳନ୍ଥରା ଓ ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ଏପରି ଚୋରା କାରବାର ନେଇ ବହୁ ମଦ ଓ ଗୁଟ୍ଖା ସାମଗ୍ରୀ ଜବତ କରାଯିବା ସହ ବହୁ ଲୋକଙ୍କୁ ଗିରଫ କରାଯାଇଛି । ଶନିବାର ସଂଧ୍ୟାରେ ଗୋସାଇଁନୁଆଗାଁ ଥାନା ପୋଲିସ ପକ୍ଷରୁ ଗଣେଷ ନଗର ତୃତୀୟ ଲାଇନଠାରେ ଚଢ଼ାଉ କରାଯାଇ ବହୁ ପରିମାଣର ନକଲି ଗୁଟ୍ଖା ଏବଂ ଗୁଟ୍ଖା ପ୍ରସ୍ତୁତି ସାମଗ୍ରୀ ଜବତ କରାଯିବା ସହ ୨ଜଣଙ୍କୁ ଅଟକ ରଖାଯାଇଛି । ୮ଟି ବ୍ୟାଗ୍ରେ ରହିଥିବା ଗୁଟ୍ଖା ଏବଂ ଅନ୍ୟାନ୍ୟ ପ୍ରସ୍ତୁତ ସାମଗ୍ରୀ ଜବତ କରାଯାଇଥିବା ଏସ୍ଡିପିଓ ବିଷ୍ଣୁ ପତି ସୁଚନା ଦେଇଛନ୍ତି । ଏ ସଂକ୍ରାନ୍ତରେ ମାଲିକ କୁହାଯାଉଥିବା ରାଜେଶ କୁମାର ସୁବୁଦ୍ଧି ଓ ହେଲପର ବାବୁ ଜେନାଙ୍କୁ ଅଟକ ରଖାଯାଇଥିବା ଏସ୍ଡିପିଓ ପତି ସୁଚନା ଦେଇଛନ୍ତି । ଗୋସାଇଁନୁଆଗାଁ ଥାନାଧିକାରୀ ସୁମିତ ସୋରେନ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଏପରି ଚଢ଼ାଉ କରାଯାଇଥିଲା । କରୋନା ସମୟରେ ପ୍ରତିଦିନ ଏପରି ବେଆଇନ କାରବାର ସମ୍ପର୍କରେ ପୋଲିସ ଖବର ପାଉଥିବା ଯୋଗୁଁ ସାଧାରଣରେ ଏହାକୁ ସ୍ୱାଗତ କରାଯାଇଛି ।






