
କରୋନା କଟକଣା ଲାଗି ରହିଥିବାବେଳେ ବ୍ରହ୍ମପୁର ଶିବଶକ୍ତି ନଗରର ସୁଶାନ୍ତ ମିଶ୍ରଙ୍କ ୩ ବର୍ଷୀୟ ପୁତ୍ର ସ୍ୱସ୍ତିକ୍ ଅଟିଜିମ୍ ଭଳି ରୋଗରେ ଆକ୍ରାନ୍ତ ଯୋଗୁଁ ତାଙ୍କ ପାଇଁ ଓଟ କ୍ଷୀରର ଆବଶ୍ୟକତା ରହିଥିଲା । ତେବେ କଟକଣା ସମୟରେ କିପରି ଏହି ଓଟକ୍ଷୀର ଆଣିବେ ସେଥିପାଇଁ ସ୍ୱସ୍ତିକ୍ର ମାମୁ ଚନ୍ଦନ ଆଚାର୍ଯ୍ୟ ଏହି କ୍ଷୀର ମଗାଇବା ପାଇଁ ଉଦ୍ୟମ ଜାରି ରଖିଥିଲେ । ଚନ୍ଦନ ବ୍ୟସ୍ତ ନ ହୋଇ ଅରୁଣ ବୋଥାଙ୍କୁ ଏ ନେଇ ଗତ ୧୬ ତାରିଖରେ ଏକ ଟୁଇଟ କରିବା ସହ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଏବଂ ଟ୍ରାଫିକ୍ ଡିଏସ୍ପି ସାର୍ଥକ ରାୟଙ୍କୁ ଟ୍ୟାଗ୍ କରିଥିଲେ । ତାଙ୍କ ଭଣଜା ପାଇଁ ଓଟ କ୍ଷୀର ନିହାତି ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ । ଏହାପରେ ବୋଥା ଟୁଇଟ ପାଇ ଚନ୍ଦନଙ୍କ ସହ ଆଲୋଚନା କରି ଓଟ କ୍ଷୀର ପହଂଚାଇବାର ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏହା ପରେ ରାଜସ୍ଥାନର କ୍ୟାମେଲ କରିସ୍ମା ନାମକ ସଂସ୍ଥା ଏବଂ ଭାରତୀୟ ରେଳ ବିଭାଗ ତଥା ଆଇଆର୍ଟିଏସ୍ ସେତୁ ସହ ଯୋଗାଯୋଗ କରାଯାଇଥିଲା । ପରେ ଚଳିତ ମାସ ୨୧ ତାରିଖରେ ସ୍ୱସ୍ତିକ୍ ପାଇଁ ୧୦ଲିଟର କ୍ଷୀର ଏବଂ ୨ ପ୍ୟାକେଟ ଓଟ କ୍ଷୀର ପାଉଡର ପ୍ୟାକ କରାଯାଇଥିଲା । ଏହାକୁ ଠିକ୍ ସମୟରେ ବ୍ରହ୍ମପୁରରେ ପହଂଚାଇବା ପାଇଁ ରେଳ ବିଭାଗ ତରଫରୁ ସହଯୋଗ ମିଳିଥିଲା । ମାଲ୍ବାହୀ ଟ୍ରେନ୍ରେ ରାଜସ୍ଥାନରୁ ଦିଲ୍ଲୀ ଏବଂ ସେଠାରୁ ହାୱଡ଼ା ଦେଇ ବ୍ରହ୍ମପୁରକୁ ଏହି କ୍ଷୀର ଅଣାଯାଇଥିଲା । ତେବେ ଭୂବନେଶ୍ୱରରୁ କ୍ଷୀର ଆଣିବାପାଇଁ ଲକ୍ ଡାଉନ କଟକଣା ରହିଥିବା ଯୋଗୁଁ ମାମୁ ଚନ୍ଦନଙ୍କ ପାଇଁ ଅସୁବିଧା ହୋଇଥିଲା । ତେବେ ବ୍ରହ୍ମପୁର ଟ୍ରାଫିକ୍ ଡିଏସ୍ପି ସାର୍ଥକ ରାୟଙ୍କ ସହ ଯୋଗାଯୋଗ କରି ଚନ୍ଦନ ଏକ କାର୍ଯୋଗେ ଭୂବନେଶ୍ୱର ରେଳ ଷ୍ଟେସନ୍ରେ ପହଂଚି ନିର୍ଦ୍ଧିଷ୍ଟ ମାଲ୍ବାହୀ ଟ୍ରେନ୍ରୁ ଓଟ କ୍ଷୀର ପାଇଥିଲେ । ଭୂବନେଶ୍ୱରରୁ ଭଣଜା ସ୍ୱସ୍ତିକ୍ ପାଇଁ ଏହି କ୍ଷୀର ଆଣି ଚନ୍ଦନ ବ୍ରହ୍ମପୁରରେ ରହୁଥିବା ନିଜ ଭଉଣୀ ଏବଂ ଜ୍ୱାଇଁଙ୍କୁ ଏହା ଦେଇଥିଲେ । ଚନ୍ଦନ ଭୂବନେଶ୍ୱର ଯାଇଥିବା ଯୋଗୁଁ ଏବେ ସେ ୧୪ଦିନିଆ ହୋମ୍ କ୍ୱାରେଣ୍ଟାଇନ୍ରେ ରହିଛନ୍ତି । କରୋନା କଟକଣା ସମୟରେ ଭଣଜା ପାଇଁ ମାମୁଁଙ୍କ ଏପରି ଦାୟିତ୍ୱକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି । ଏହି ଓଟ କ୍ଷୀର ଆଣିବାରେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଓ ଟ୍ରାଫିକ୍ ଡିଏସ୍ପି ସାର୍ଥକ ରାୟଙ୍କୁ ମେକାନିକାଲ୍ ଇଂଜିନିୟରଭାବେ କାର୍ଯ୍ୟରତ ତଥା ମାମୁ ଚନ୍ଦନ ସମସ୍ତକୁ ଏଥିପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି ।






