ରାଜ୍ୟରେ ପୁଣି ୬ଜଣ କରୋନା ପଜିଟିଭ ଚିହ୍ନଟ, ବତ୍ତମାନ ସୁଦ୍ଧା ୮୯ଜଣ କରୋନା ପଜିଟିଭ, ବରିଷ୍ଠ ନାଗରିକମାନେ ଘରୁ ନ ବାହାରିବାକୁ ଗଂଜାମ ଜିଲ୍ଲାପାଳଙ୍କ ପରାମର୍ଶ ।

YouTube video

ରାଜ୍ୟରେ ଗୁରୁବାର ପୁଣି ୬ଜଣ କରୋନା ପଜିଟିଭ ୪ଜଣ ଯାଜପୁର ଜିଲ୍ଲାରୁ ଓ ୨ଜଣ ବାଲେଶ୍ୱର ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ବର୍ତ୍ତମାନ ରାଜ୍ୟରେ ୮୯ଜଣ କରୋନା ପଜିଟିଭ ବାହାରିଛି । ଗୁରୁବାର ଜଣେ ପଜିଟିଭ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବୁଧବାରସୁଦ୍ଧା ଗଂଜାମ ଜିଲ୍ଲାରେ ଏମ୍କେସିଜି ମେଡ଼ିକାଲ୍ କଲେଜକୁ ମିଶାଇ ୯୫୦ଜଣଙ୍କ କରୋନା ପାଇଁ ସ୍ୱାବ ପରୀକ୍ଷା ହୋଇଥିଲା । ସେମାନଙ୍କ ମଧ୍ୟରୁ ୭୬୩ଜଣଙ୍କ ସ୍ୱାବ ପରୀକ୍ଷା କରାଯିବା ପରେ ନେଗେଟିଭ ରିପୋର୍ଟ ଆସିଛି । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ କରୋନାକୁ ଦୃଷ୍ଟିରେ ରଖି ଜିଲ୍ଲାର ବରିଷ୍ଠ ନାଗରିକମାନଙ୍କୁ ଘରୁ ନ ବାହାରିବାପାଇଁ ପରାମର୍ଶ ଦେଇଛନ୍ତି । ବରିଷ୍ଠ ନାଗରିକମାନେ ମାକ୍ସ ପରିଧାନ କରିବା ସହ ନିଜ ନିଜର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଔଷଧ ସମୟ ଅନୁସାରେ ଠିକ୍ଭାବେ ସେବନ କରିବାକୁ କହିଛନ୍ତି । ଆବଶ୍ୟକତା ଅନୁଯାୟୀ ଘରୁ ବାହାରକୁ ବାହାରିଲେ ୨ ମିଟର ଦୁରତା ରକ୍ଷା କରିବାକୁ ଜିଲ୍ଲାପାଳ କୁଲାଂଗେ ଟୁଇଟ ଜରିଆରେ ବରିଷ୍ଠ ନାଗରିକମାନଙ୍କୁ ନିବେଦନ କରିଛନ୍ତି ।