
ଶ୍ରମୀକ ଓ ଭୋକିଲାଙ୍କୁ ଖାଦ୍ୟ, ରାସନ ଓ ରୋଜଗାର ଏବଂ ଅନ୍ନଦାତାଙ୍କୁ ସହାୟତା ଦାବିରେ ସିପିଆଇଏମ୍ଏଲ୍ ରେଡଷ୍ଟାର ଗଂଜାମ ଜିଲ୍ଲା କମିଟି ତରଫରୁ ବୁଧବାର ଆସିକାରୋଡ଼ସ୍ଥିତ ଯୁଗ୍ମ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା । କରୋନା କଟକଣା ପାଇଁ ଲକ୍ଡାଉନ ଏକ ମାସ ବିତିଯାଇଥିଲେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମୀକ, ବସ୍ତି ବାସିନ୍ଦା ଓ ଭୋକିଲାଙ୍କୁ ଖାଦ୍ୟ ପ୍ରଦାନ ଏବଂ ରିଲିଫ ସହାୟତା ପ୍ରଦାନରେ ବିଫଳ ହେବା ସହ ଅଭାବୀ ବିକ୍ରିର ଶିକାର ହେଉଥିବା ଅନ୍ନଦାତାଙ୍କ ପାଇଁ ସହାୟତା ଘୋଷଣା ନ କରି ଉପହାସ କରୁଥିବା ରେଡ୍ଷ୍ଟାର ପକ୍ଷରୁ ଜିଲ୍ଲା ସମ୍ପାଦକ ଶଙ୍କର ସାହୁ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଶ୍ରମିକ ଓ ଭୋକିଲାଙ୍କୁ ନ୍ୟାୟ ପ୍ରଦାନ କରିବାପାଇଁ ସେ ଦାବି କରିଛନ୍ତି । ଏହି ପ୍ରତିବାଦରେ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନର ନେତ୍ରୀ ପି.ପାର୍ବତୀ, ଆଦିବାସୀ ନେତା ଟୁନା ମଲ୍ଲୀକ, କ୍ରାନ୍ତିକାରୀ କୃଷକ ସଭାର ଅକ୍ଷୟ ସାହୁ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସାମାଜିକ ଦୁରତା ରକ୍ଷା କରି ସାମିଲ ହୋଇଥିଲେ ।






