
ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇ ବୁଧବାର ୮୩ରେ ପହଂଚିଛି । ରାଜ୍ୟ ଭିତରେ ସବୁ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଉଥିବାବେଳେ କିଛି ଅମାନିଆ ଲକ୍ ଡାଉନ ସମୟରେ ରାଜ୍ୟ ବାହାରୁ ଲୁଚି ଲୁଚି ଆସି ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି । ଆସନ୍ତା ୩ ତାରିଖ ପରେ ଲକ୍ ଡାଉନ ଖୋଲୁଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ରାଜ୍ୟର ସରପଂଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଲକ୍ ଡାଉନ ପରେ ନିଜ ନିଜ ପଂଚାୟତକୁ ଆସିଥିବା ଜନସାଧାରଣଙ୍କୁ ସୁରକ୍ଷା ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବୁଧବାର ସରପଂଚମାନଙ୍କୁ ଶପଥପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫ୍ରେନ୍ସିଂ ଜରିଆରେ ସରପଂଚମାନଙ୍କୁ ଶପଥ ପାଠ କରାଇବା ସହ ଯେଉଁମାନେ ବାହାର ରାଜ୍ୟରୁ ଗ୍ରାମକୁ ଆସିବେ ସେମାନଙ୍କୁ ୧୪ଦିନର କ୍ୱାରେଣ୍ଟାଇନ୍ରେ ରଖାଯିବାର ବ୍ୟବସ୍ଥା ସହ ଖାଇବା, ପିଇବା ଓ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପରାମର୍ଶ ଦେଇଛନ୍ତି । ପଂଚାୟତରେ ଥିବା କ୍ୱାରେଣ୍ଟାଇନ ସେଣ୍ଟର୍ରେ ସମସ୍ତଙ୍କୁ ରଖିବାସହ ସୁବିଧା ଯୋଗାଇଦେବା ପାଇଁ ସେ କହିଛନ୍ତି । ଯେଉଁମାନେ ବାହାର ରାଜ୍ୟରୁ ଗ୍ରାମକୁ ଫେରିବେସେମାନଙ୍କ ରେଜିଷ୍ଟେସନ ବାଧ୍ୟତାମୂଳକ ବୋଲି ସରକାର ସୂଚନା ଦେଇଛନ୍ତି । ଗ୍ରାମକୁ ଫେରିଥିବା ଓ ଫେରିବାକୁ ଥିବା ଲୋକଙ୍କ ତାଲିକା ପ୍ରସ୍ତୁତ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ସରପଂଚମାନଙ୍କୁ ନିର୍ଦେଶ ଦେଇଛନ୍ତି ।






