ଗଂଜାମ ଜିଲ୍ଲାରେ ଲକ୍ ଡାଉନ କଟକଣା କୋହଳ, ବହୁ ଜନସାଧାରଣ ବିନା କାରଣରେ ମୋଟର ସାଇକେଲ୍ରେ କରୁଛନ୍ତି ଯାତାୟତ, ଘର ପାଖରେ ଦୋକାନର ସୁବିଧା ନେବାକୁ ଜିଲ୍ଲାପାଳଙ୍କ ପରାମଶ ।

YouTube video

କରୋନା କଟକଣାକୁ ସୋମବାରଠାରୁ ଗଂଜାମ ଜିଲ୍ଲାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେଙ୍କ ନିଷ୍ପତ୍ତିକ୍ରମେ କୋହଳ କରାଯାଇଛି । ବିଭିନ୍ନ ପ୍ରଶାସନିକ କାର୍ଯ୍ୟାଳୟ ଖୋଲା ରହିଥିବାବେଳେ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ପୂର୍ବଭଳି ପନିପରିବା, ସୌଦା, ଆମିଷ ଦୋକାନ ଓ ଔଷଧ ଦୋକାନ ଖୋଲା ରହିଛି । ଅତି ଆବଶ୍ୟକସ୍ଥଳେ କେବଳ ଜଣେ ମାତ୍ର ବାଇକ୍ କିମ୍ବା କାର୍ରେ ଯାଇପାରିବେ ବୋଲି କୁହାଯାଇଛି । ସେହିପରି କୃଷି ଯନ୍ତ୍ରପାତି, ସିମେଣ୍ଟ ଦୋକାନ, ସାଇକେଲ ମରାମତି ଦୋକାନ ଓ ମୋବାଇଲ ରିପେରିଂ ଦୋକାନ ଖୋଲାଯାଇଛି । ତେବେ ପୂର୍ବଭଳି ଆବଶ୍ୟକସ୍ଥଳେ ବାହାରକୁ ଯାଉଥିବା ଜନସାଧାରଣ ମାକ୍ସ ପରିଧାନ କରିବା ସହ ସମଦୁରତା ଅବଲମ୍ବନ କରିବାପାଇଁ କୁହାଯାଇଛି । କଟକଣାରେ କୋହଳ ପରେ ବହୁ ଜନସାଧାରଣ ବିନା କାରଣରେ ମୋଟର ସାଇକେଲ୍ରେ ଯାତାୟତ କରୁଥିବା ଲକ୍ଷ୍ୟ କରାଯାଇଥିଲା । କିଛି ସ୍ଥାନରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଓ ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବ ନିଜେ ଉପସ୍ଥିତ ରହି ଜନସାଧାରଣଙ୍କୁ କରୋନା ସମ୍ପର୍କରେ ସଚେତନ କରିବା ସହ ପୋଲିସ ଉପସ୍ଥିତିରେ ଗାଡ଼ି ଯାଂଚ କରିଥିଲେ । ତେଣୁ ପ୍ରତ୍ୟେକ ଜନସାଧାରଣ ବିନା କାରଣରେ ଘରୁ ନ ବାହାରି ନିଜ ନିଜ ପରିବାର ମଧ୍ୟରେ ସାବଧାନତାର ସହ ରହିବାପାଇଁ ଜିଲ୍ଲାପାଳ କୁଲାଂଗେ ପରାମର୍ଶ ଦେଇଛନ୍ତି । ଘର ପାଖରେ ରହିଥିବା ଦୋକାନଗୁଡ଼ିକର ସୁବିଧା ନେବା ପାଇଁ ଜିଲ୍ଲାପାଳ କୁଲାଂଗେ ପରାମର୍ଶ ଦେଇଛନ୍ତି ।