ମୁଖ୍ୟମନ୍ତ୍ରୀଙ୍କ ପ୍ରବାସୀ ଓଡିଆଙ୍କ ଉଦେଶ୍ୟରେ ବାର୍ତ୍ତା, କଟକଣା ଉଠିଲେ କେନ୍ଦ୍ର ଓ ଅନ୍ୟ ରାଜ୍ୟମାନଙ୍କ ସହ ଆଲୋଚନା କରି ସମସ୍ତଙ୍କ ଫେରିବା ବ୍ୟବସ୍ଥା ।

YouTube video

ମୁଖ୍ୟମନ୍ତ୍ରୀ ନୀବନ ପଟନାୟକ ପ୍ରବାସୀ ଓଡିଆଙ୍କ ଉଦେଶ୍ୟରେ ରବିବାର ଅପରାହ୍ନରେ ବାର୍ତ୍ତା ପ୍ରଦାନ କରିଥିଲେ । ସେ ବିଶ୍ୱରେ କରୋନା ବିପତ୍ତିକୁ ନେଇ ଦୁଃଖ ପ୍ରକାଶ କରିଥିବାବେଳେ ଆମ ଦେଶରେ ମଧ୍ୟ କରୋନା ବିପତ୍ତି ବୃଦ୍ଧି ପାଇଥିବା କହିଥିଲେ । ଗତ ୯ତାରିଖରେ ଓଡ଼ିଶାରେ ୪୨ଟି ପଜିଟିଭ କେସ ରହିଥିବାବେଳେ ଗୋଟିଏ ମୃତ୍ୟୁ କେସ ରହିଥିଲା । ବର୍ତ୍ତମାନ ପଜିଟିଭ କେସ ୬୧ରେ ପହଂଚିଛି । ଏହାକୁ ଦୃଷ୍ଟିରେ ରଖି କରୋନା ପରୀକ୍ଷା ୩ ଗୁଣ କରାଯାଇଛି ଏବଂ ଆକ୍ଟିଭ କେସ ହ୍ରାସ ପାଇଛି । ଏଥିପାଇଁ ସେ ଜନସାଧାରଣଙ୍କ ତ୍ୟାଗ ଓ ସହଯୋଗକୁ ପ୍ରଶଂସା କରିଥିଲେ । ଏହା ଏକ ଲମ୍ବା ଲଢେ଼ଇ ହୋଇଥିବା ଯୋଗୁଁ ଆଗକୁ ସାବଧାନ ରହିବାକୁ ପଡ଼ିବ ବୋଲି ସେ କହିଥିଲେ । ଆମ ରାଜ୍ୟର ବହୁ ଶ୍ରମିକ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଶ୍ରେଣୀର ବ୍ୟକ୍ତିମାନେ ବାହାର ରାଜ୍ୟରେ ଫସି ରହିଥିବା ଯୋଗୁଁ ସେମାନଙ୍କ ପ୍ରତି ଦୃଷ୍ଟି ଦିଆଯାଉଛି ଏବଂ ଏପରି ଅବସ୍ଥା ପାଇଁ ସେ ଦୁଃଖିତ ବୋଲି କହିଥିଲେ । ବହୁ ସ୍ଥାନରେ ସେମାନଙ୍କ ଅବସ୍ଥା ସ୍ୱାଭାବିକ ନଥିବା ଯୋଗୁଁ ସେ ଦୁଃଖ ପ୍ରକାଶ କରିବା ସହ ଯେତେବେଳେ କଟକଣା ଉଠିବ କେନ୍ଦ୍ର ଓ ଅନ୍ୟ ରାଜ୍ୟମାନଙ୍କ ସହ ଆଲୋଚନା କରି ଫସିରହିଥିବା ଲୋକମାନେ ଯେପରି ଓଡ଼ିଶାକୁ ଫେରିବେ ସେଥିପାଇଁ ବ୍ୟବସ୍ଥା କରିବେ ବୋଲି ସେ କହିଛନ୍ତି । ସମସ୍ତଙ୍କ ଫେରିବାପାଇଁ ବିଭିନ୍ନ ପଂଚାୟତରେ ସେମାନଙ୍କୁ ୧୪ଦିନ ଯାଏଁ କ୍ୱାରେଣ୍ଟାଇନ୍ରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି । ସେମାନଙ୍କ ଖାଇବା, ରହିବା ଓ ଚିକିତ୍ସା ମାଗଣାରେ ଯୋଗାଇଦିଆଯିବ । କ୍ୱାରେଣ୍ଟାଇନ ଅବଧି ସରିବା ପରେ ୨ ହଜାର ଟଙ୍କାର ସହାୟତା ଦିଆଯିବ । ତେଣୁ ପ୍ରତି ପଂଚାୟତରେ କୋଭିଦ-୧୯ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସରପଂଚମାନଙ୍କୁ କ୍ଷମତା ଦିଆଯିବ ବୋଲି ସେ କହିଥିଲେ । ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ଏବଂ ସମ୍ମାନଜନକଭାବେ ପ୍ରତି ଜୀବନ ସୁରକ୍ଷା ଗୁରୁତ୍ୱପୁର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ନୀବନ ପଟନାୟକ ପ୍ରକାଶ କରିଛନ୍ତି ।