
ଆସିକା ଅଂଚଳରେ ଡକାୟତି ଯୋଜନା କରୁଥିବା ଏକ ୬ଜଣିଆ ଗ୍ୟାଙ୍ଗକୁ ଆସିକା ପୋଲିସ କାବୁ କରିଛି । ସେହିପରି ବୁଗୁଡ଼ା ଥାନା ପୋଲିସ ଅଂଚଳରେ ଡକାୟତି ଯୋଜନା କରୁଥିବା ଆଉଏକ ୬ଜଣିଆ ଗ୍ୟାଙ୍ଗକୁ ବୁଗୁଡ଼ା ପୋଲିସ ଉଠାଇ ନେଇଛି । ପୋଲିସ ସେମାନଙ୍କଠାରୁ ୪ଟି ପିସ୍ତଲ, ଗୋଟିଏ ଖେଳନା ବନ୍ଧୁକ, ୧୨ ରାଉଣ୍ଡ ଗୁଳି, ୧୨ଟି ବୋମା, ୩ଟି ଖଣ୍ଡା, ୨ଟି କାତି, ୩ଟି ଛୁରୀ, ଗୋଟିଏ ଗୁପ୍ତି ଓ ପଂଚ୍ ସହ ସେମାନଙ୍କ ନିକଟରୁ ୫୮ହଜାର ଟଙ୍କା ଜବତ କରିଛି । ଏହା ସହ ସେମାନେ ବ୍ୟବହାର କରୁଥିବା ୫ଟି ବାଇକ୍ ମଧ୍ୟ ଜବତ କରାଯାଇଛି । ଏମାନେ ସମସ୍ତେ ଦୀର୍ଘଦିନ ଧରି ଗଂଜାମ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ଲୁଟ୍, ରାହାଜାନୀ, ଡକାୟତି ଓ ଆକ୍ରମଣ ଆଦି ଅପରାଧମାନ ଘଟାଇ ଆସୁଥିଲେ । ଗଂଜାମ ଜିଲ୍ଲାର ଆସିକା, ବୁଗୁଡ଼ା, ଗାଂଗପୁର, ବୋଲଗଡ଼ ଆଦି ଥାନାରେ ସେମାନଙ୍କ ନାମରେ ୧୦ଟି ମାମଲା ରହିଛି ବୋଲି ଗଂଜାମ ଏସ୍ପି ବ୍ରିଜେଶ କୁମାର ରାଏ ଛତ୍ରପୁରଠାରେ ଗୁରୁବାର ଅପରାହ୍ନରେ ଅନୁଷ୍ଟିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଥିଲେ । ଏହି ଅବସରରେ ଅତିରିକ୍ତ ଏସ୍ପି ପତିତପାବନ ଚୌଧୁରୀ, ଡିଏସ୍ପି ଏସ୍.ପ୍ରଧାନ, ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ସମେତ ଅନ୍ୟାନ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ପରେ ସେମାନଙ୍କ ଜାମିନ ନାମଂଜୁର ହେବାରୁ ସମସ୍ତଙ୍କୁ ଜେଲ୍ ହାଜତକୁ ପଠାଇଦିଆଯାଇଛି ।






