
ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ରାଜ୍ୟରେ କରୋନା ଭୂତାଣୁ ମୂକାବିଲା ନେଇ ମଂଗଳବାର ସମୀକ୍ଷା କରିଛନ୍ତି । ସେ ନବୀନ ନିବାସରୁ ଭିଡିଓ କନ୍ଫ୍ରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ରାଜ୍ୟରେ କରୋନା ସଂକ୍ରମଣ ପରିସ୍ଥିତି, ଚାଷୀଙ୍କ ସମସ୍ୟା ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ସଂକ୍ରାନ୍ତରେ ଆଲୋଚନା କରିଥିଲେ । କରୋନା ସଂକ୍ରମଣ ନିୟନ୍ତ୍ରଣରେ ଓଡ଼ିଶା ଭଲ କାମ କରିଥିବାରୁ ସେ ନିୟୋଜିତ ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପ୍ରଶାସନିକ ଅଧିକାରି, ପୋଲିସ ଅଧିକାରୀ, ସଫେଇ କର୍ମଚାରୀ ଏବଂ ସର୍ବୋପରି ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ । ଲକ୍ ଡାଉନ ସମୟରେ ଚାଷୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବାପାଇଁ ମୁଖ୍ୟମନ୍ତ୍ରୀ ପୋଲିସ ଡିଜିଙ୍କୁ ନିର୍ଦେଶ ଦେଇଥିଲେ । ଆଗାମୀ ଏକ ସପ୍ତାହ ମଧ୍ୟରେ ରାଜ୍ୟର ପ୍ରତି ଜିଲ୍ଳାରେ କୋଭିଦ ହସ୍ପିଟାଲ୍ ବ୍ୟବସ୍ଥା କରିବାପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ଚଳିତମାସ ସୁଦ୍ଧା ରାଜ୍ୟର ୩୬ଟି ସ୍ଥାନରେ ୬ହଜାର ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କରିବାପାଇଁ ବ୍ୟବସ୍ଥା କରାଯାଇଥିଲା । ଦକ୍ଷିଣ ଓଡ଼ିଶାର ଏମ୍କେସିଜିର କୋଭିଡ ପରୀକ୍ଷଣ ସୁବିଧା କରାଯାଇଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ସଂତୋଷ ପ୍ରକାଶ କରିଥିଲେ । ସେହିପରି ପାରିବାରିକ ହିଂସା ରୋକାଯିବା ଏବଂ ଅଭ୍ୟାସଗତ ଅପରାଧୀମାନଙ୍କୁ ଚିହ୍ନଟ କରିବା ସହ ଫୋନ୍ କଲ୍ ଜରିଆରେ ଅଭିଯୋଗକାରୀମାନଙ୍କୁ ସହାୟତା ଯୋଗାଇଦେବାପାଇଁ ମୁଖ୍ୟମନ୍ତ୍ରୀ ପୋଲିସକୁ ପରାମର୍ଶ ଦେଇଥିଲେ ।






