
କରୋନାକୁ ମୁକାବିଲା କରିବାପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ କଟକଣା ପୂର୍ବରୁ ଘୋଷଣା କରାଯାଇଥିବାବେଳେ ମଂଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୩ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଲକ୍ ଡାଉନ ଜାରି ରହିବ ବୋଲି ଘୋଷଣା କରିଛନ୍ତି । ଏପରି ଲକ୍ ଡାଉନ ଯୋଗୁଁ ଜନସାଧାରଣ କଷ୍ଟ ସହିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଲକ୍ ଡାଉନ ସମୟରେ ଭାରତରେ ସାମାଜିକ ଦୁରତ୍ୱ ଏବଂ କରୋନା ଉପରେ ଅଂକୁଶ ଲଗାଇବାରେ ସମର୍ଥ ହୋଇପାରିବେ ବୋଲି ସେ କହିଛନ୍ତି । ଯଦି କୌଣସି ରାଜ୍ୟରେ ନୁଆ କରୋନା ମାମଲା ଆସିଲେ ଲକ୍ ଡାଉନକୁ ୩ତାରିଖ ଯାଏଁ ବଳବତ୍ତର ରଖାଯିବ । କରୋନା ପ୍ରଭାବିତ ହୋଇନଥିବା ଅଂଚଳରେ ଏପ୍ରିଲ ୨୦ ତାରିଖ ପରେ ଲକ୍ ଡାଉନ ସାମାନ୍ୟ କୋହଳ ହେବ । ତେବେ ଏ ସଂକ୍ରାନ୍ତରେ ବୁଧବାର ନୂତନ ଗାଇଡ୍ଲାଇନ ପ୍ରସ୍ତୁତ କରାଯିବ । ବର୍ତ୍ତମାନ ଆମ ଦେଶରେ ଔଷଓ ଓ ଖାଦ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ଗଛିତ ଅଛି । ତେଣୁ ସମସ୍ତ ଜନସାଧାରଣ ଧର୍ଯ୍ୟର ସହ କରୋନା କଟକଣାକୁ ମାନିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆହ୍ୱାନ ଦେଇଛନ୍ତି । ସେହିପରି ବୟସ୍କ ବ୍ୟକ୍ତିଙ୍କ ଅଧିକ ଯତ୍ନ ନେବା, ଘରେ ରହିବା ସହ ସାମାଜିକ ଦୁରତ୍ୱ ବଜାର ରଖି ଘରେ ତିଆରି ମାକ୍ସ ବ୍ୟବହାର କରିବା, କୌଣସି କର୍ମଚାରୀଙ୍କୁ ଚାକିରିରୁ ବାହାର ନ କରିବା, ଗରୀବ ଲୋକଙ୍କୁ ସହାୟତା ଯୋଗାଇବା, ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ଼ କରିବା ଏବଂ କରୋନା ଯୋଦ୍ଧାଙ୍କ ଆଦର, ସ୍ନେହ ଓ ଯତ୍ନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପରାମର୍ଶ ଦେଇଛନ୍ତି । ଏପରି ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ ବୃଦ୍ଧି ଯୋଗୁଁ ରେଳ ଚଳାଚଳ ଓ ବସ୍ ଚଳାଚଳ ବନ୍ଦ ରହିବ ବୋଲି ଜଣାପଡ଼ିଛି ।






