
କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଲକ୍ ଡାଉନ ସମୟକୁ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ତେଣୁ ଏପରି ଲକ୍ ଡାଉନକୁ ଦୃଷ୍ଟିରେ ରଖି ସୀମାନ୍ତ ଅଂଚଳରେ କଡ଼ାକଡ଼ି ପଦକ୍ଷେପ ନେବାପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ନିର୍ଦେଶ ଦେଇଛନ୍ତି । ଭୂବନେଶ୍ୱର ସମେତ ରାଜ୍ୟ ବାହାରୁ ଆସିଥିବା ଲୋକ ମାନଙ୍କୁ ଯାଂଚ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଗଂଜାମ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ଯାଂଚକୁ କଡ଼ାକଡ଼ି କରାଯିବା ସହ ସିସି କ୍ୟାମେରା ଲଗାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରତି ପ୍ରବେଶ ପଥରେ ମାଜିଷ୍ଟେ୍ରଟ ମୂତୟନ ରହିବା ସହ ଯାନବାହନ ଯାଂଚ କରାଯିବ । ମାଲ୍ବାହୀ ଗାଡ଼ିର ଚାଳକ ଓ ସହକାରୀଙ୍କ ପରିଚୟ ପତ୍ର ଦେଖାଯାଇ ଜିଲ୍ଳା ଭିତରକୁ ଛଡ଼ାଯିବ । କିନ୍ତୁ ମାଲ୍ବାହୀ ଗାଡ଼ିରେ କୌଣସି ପରିସ୍ଥିତିରେ ମଧ୍ୟ ଯାତ୍ରୀ ପରିବହନ କରାଯିବ ନାହିଁ । ଏପରି ନଜରକୁ ଆସିଲେ ଗାଡ଼ି ଜବତ କରାଯିବା ସହ ଚାଳକକୁ ଗିରଫ କରାଯିବ ବୋଲି ଜିଲ୍ଳାପାଳ କୁଲାଂଗେ ସୁଚନା ଦେଇଛନ୍ତି । ଜିଲ୍ଲାର ସବୁ ଦୋକାନୀମାନେ ନିଜ ନିଜ ଦୋକାନ ସମ୍ମୁଖରେ ମାକ୍ସ ନାହିଁ ତ ସୌଦା ନାହିଁ ଫଳକ ଲଗାଇବା ବାଧ୍ୟତାମୂଳକ ବୋଲି ଜିଲ୍ଲାପାଳ କହିବା ସହ ଗୁରୁବାର ଛତ୍ରପୁରଠାରେ ଏଥିନେଇ ଏକ ବୈଠକ ଆୟୋଜନ କରି ଏହି ନିଷ୍ପତ୍ତି ନେଇଥିଲେ ।






