
ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମାଁ ତାରାତାରିଣୀଙ୍କ ମନ୍ଦିରରେ କରୋନାକୁ ଦୃଷ୍ଟିରେ ରଖି କଟକଣା ଲାଗି ରହିଥିବା ଯୋଗୁଁ ଚୈତ୍ର ଯାତ୍ରାକୁ ବନ୍ଦ କରିଦିଆଯାଇଛି । ତେଣୁ ଏଠାରେ ଚୈତ୍ର ପର୍ବରେ କୌଣସି ଭକ୍ତଙ୍କ ଦେଖା ମିଳିନଥିଲା । ଦୁରରୁ ଏହି ମନ୍ଦିରଟି ଭକ୍ତଶୁନ୍ୟ ପରିଲକ୍ଷିତ ହୋଇଥିଲା । ପୂର୍ବରୁ ଚୈତ୍ର ଯାତ୍ରା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ବାରଣ କରିଥିଲେ । ତେବେ ଏଠାକୁ ଭକ୍ତମାନେ ନ ଆସିଲେ ମଧ୍ୟ ଶାନ୍ତି ଶୃଙ୍ଖଳା ଓ ମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପାଂଚ ପାଳି ଧରି ମାଁଙ୍କ ପୂଜା କେବଳ ପୂଜକ ମାନଙ୍କ ଦ୍ୱାରା କରାଯାଉଥିଲେ ମଧ୍ୟ କୌଣସି ଭକ୍ତ କରୋନା କଟକଣାକୁ ମାନି ଦର୍ଶନକୁ ଆସି ନାହାନ୍ତି । ସାଧାରଣତଃ ପ୍ରତି ମଂଗଳବାରରେ ମାଁଙ୍କ ଏହି ପ୍ରସିଦ୍ଧ ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ଗଂଜାମ ଜିଲ୍ଲା ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତମାନେ ଏଠାକୁ ମାଁଙ୍କ ପୂଜା କରିବା ସହ ମାନସିକ ଧାରୀମାନେ ମୁଣ୍ଡନ କରିଥାନ୍ତି ଏବଂ ବହୁ ଭକ୍ତ ସପରିବାର ସହ ଏଠାରେ ରାନ୍ଧି ମାଁଙ୍କ ନିକଟରେ ପୂଜା କରି ଆଶିର୍ବାଦ ଲାଭ କରିଥାନ୍ତି । ତେବେ କରୋନା କଟକଣା ଯୋଗୁଁ ଚଳିତ ବର୍ଷ ମାଁଙ୍କ ଏହି ମନ୍ଦିରରେ ଭକ୍ତମାନଙ୍କ ଭୀଡ଼ ହୋଇନାହିଁ ।






