
ଏପ୍ରିଲ ୧୪ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ମହାନଗରରେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ବାହାରକୁ ଗାଡ଼ି ନ ଆଣିବା ସହ ଯଦିବା କିଏ ଆବଶ୍ୟକସ୍ଥଳେ ବହାରକୁ ଆସନ୍ତି ତେବେ ମାକ୍ସ ପରିଧାନ କରି ବାହାରିବାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ରବିବାର ସଂଧ୍ୟାରେ ଟାଉନ ହଲ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଥିଲେ । ଏହି ଅବସରରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଏବଂ କମିଶନର ଚକ୍ରବର୍ତ୍ତି ସିଂ ରାଠୋର ଉପସ୍ଥିତ ଥିଲେ । ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ଜନସାଧାରଣଙ୍କ ଆବଶ୍ୟକପାଇଁ ପନି ପରିବା, ଆମିଷ, ଖାଉଟି ସାମଗ୍ରୀ ଓ ଔଷଧ ଦୋକାନ ଖୋଲା ରହିବ । ତେବେ ଜରୁରୀକାଳୀନ ସମୟରେ ଜନସାଧାରଣ ଅନ୍ଲାଇନ ମାଧ୍ୟମରେ ଔଷଧ ସଂଗ୍ରହ କରିପାରିବେ ବୋଲି ଏଠାରେ କୁହାଯାଇଥିଲା । ବାହାରକୁ ବାହାରିଲେ ମାକ୍ସ ପରିଧାନ କରିବା ନିହାତି ଜରୁରୀ ବୋଲି ଜିଲ୍ଲାପାଳ କୁଲାଂଗେ କହିବା ସହ ଯଦି କୌଣସି ବ୍ୟକ୍ତି ମାକ୍ସ ପରିଧାନ ନ କରନ୍ତି ତେବେ ସହରରେ ଜରିମାନା ବାବଦକୁ ଜଣକ ପିଛା ହଜାରେ ଟଙ୍କା ଓ ଗ୍ରାମାଂଚଳରେ ୫ଶହ ଟଙ୍କା ଦେବାକୁ ପଡ଼ିବ ବୋଲି ଜିଲ୍ଲାପାଳ କୁଲାଂଗେ ଏଠାରେ ପ୍ରକାଶ କରିଥିଲେ । ଯଦି ବିନା କାରଣରେ କେହି ବାହାରକୁ ବାହାରନ୍ତି ତେବେ ସେମାନଙ୍କ ଗାଡ଼ି ଜବତ କରାଯିବା ସହ ଖାଲିରେ ବୁଲିଥିବା ବ୍ୟକ୍ତିଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯିବ ବୋଲି ସେ କହିଥିଲେ । ତେଣୁ ପ୍ରତ୍ୟେକ ଜନସାଧାରଣ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାପାଇଁ ସେ ଏଠାରେ ନିବେଦନ କରିଥିଲେ । ସୁଚନାଯୋଗ୍ୟ ସୋମବାରଦିନ ବ୍ରହ୍ମପୁର ସହରରେ ମାକ୍ସ ପରିଧାନ କରିନଥିବା ୭ଜଣଙ୍କ ଠାରୁ ୧ହଜାର ଟଙ୍କା ଲେଖାଏଁ ମୋଟ ୭ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜିଲ୍ଲା ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ।






