
ବିଶ୍ୱରେ ଆତଂକ ସୃଷ୍ଟି କରିଥିବା କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବାପାଇଁ ଗତ ୨୨ ତାରିଖରୁ ଲକ୍ ଡାଉନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକୁ ନେଇ ରବିବାର ରାତ୍ର ୯ଟା ସମୟରେ ୯ମିନିଟ ପର୍ଯ୍ୟନ୍ତ ଘରର ଆଲୋକ ବନ୍ଦ କରାଯାଇ ଦୁଆର ମୁହଁରେ ମହମବତୀ, ଦୀପ, ମୋବାଇଲ ଲାଇଟ ଓ ଟର୍ଚ୍ଚ ଲାଇଟ ଜଳାଇ କରୋନାରୁ ମୁକ୍ତି ପାଇବାପାଇଁ ପ୍ରାର୍ଥନା କରାଯାଇଥିଲା । ଗଂଜାମ ଜିଲ୍ଲା ତଥା ବ୍ରହ୍ମପୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନକୁ ପାଳନ କରିଥିବା ଲକ୍ଷ୍ୟ କରାଯାଇଥିଲା । ପ୍ରତ୍ୟେକ ଜନସାଧାରଣ ନିଜ ନିଜ ପରିବାର ମଧ୍ୟରେ ସମ ଦୁରତା ରକ୍ଷା କରି ଏପରି ଦୀପ ପ୍ରଜ୍ୱଳନ କରିଥିଲେ । ବ୍ରହ୍ମପୁରର ବିଭିନ୍ନ ସାହି, ମୁଖ୍ୟରାସ୍ତା ଓ ଗଳି କନ୍ଦିରେ ଛୋଟ ଶିଶୁଠାରୁ ଆରମ୍ଭ କରି ପ୍ରତ୍ୟେକ ବର୍ଗର ପୁରୁଷ ଓ ମହିଳା କରୋନାରୁ ମୁକ୍ତି ପାଇବାପାଇଁ ନିଜ ନିଜ ଘରକୁ ଅନ୍ଧାର କରି ଦୀପ ପ୍ରଜ୍ୱଳନ କରିଥିଲେ । ବ୍ରହ୍ମପୁରରେ ଏପରି ଦୀପ ପ୍ରଜ୍ୱଳନ ଦୃଶ୍ୟ ଡ୍ରୋନ କ୍ୟାମେରା ଦ୍ୱାରା ଉତ୍ତୋଳନ କରାଯାଇଥିଲା । ବ୍ରହ୍ମପୁରରେ ସମସ୍ତେ ଏହି ଦୀପ ପ୍ରଜ୍ୱଳନରେ ଉତ୍ସାହର ସହ ଯୋଗଦେଇଥିବା କ୍ୟାମେରା ମାଧ୍ୟମରେ ଚିତ୍ର ଉତ୍ତୋଳନ ସମୟରେ ପରିଲକ୍ଷିତ ହୋଇଛି ।






