
ବ୍ରହ୍ମପୁର ମହାନଗରରେ ଲକ୍ ଡାଉନ୍କୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପ୍ରଶାସନ ତରଫରୁ ରାସ୍ତାକୁ ବନ୍ଦ କରିଦିଆଯାଇଛି । ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଓ ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତିଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି । ସକାଳ ୭ରୁ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲାଯାଉଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ସମଦୁରତା ରଖିବାକୁ ଦୃଷ୍ଟି ଦିଆଯାଇଛି । ତେବେ ମାଛ ବଜାର ଗୁଡ଼ିକରେ ରବିବାର ଯୋଗୁଁ ଭୀଡ଼ ଲାଗି ରହିଥିଲା । ଏପରି ଭୀଡ଼ ଯୋଗୁଁ ପାର୍କ ସାହିରେ ଥିବା ଅସ୍ଥାୟୀ ମାଛ ବଜାରକୁ ବନ୍ଦ କରି ଦିଆଯାଇଥିଲା । ପ୍ରତ୍ୟେକ ଜନସାଧାରଣ ଏହି କରୋନାକୁ ଦୃଷ୍ଟିରେ ରଖି ନିଜ ଜୀବନ ପାଇଁ କଟକଣାକୁ ମାନିବା ଉଚିତ ବୋଲି ବ୍ରହ୍ମପୁର ଏସ୍ପି ମିଶ୍ର ନିବେଦନ କରିଛନ୍ତି । ତେବେ ବହୁ ସ୍ଥାନରେ କଟକଣାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ ସମେତ ଅନ୍ୟାନ୍ୟ ଅଂଚଳରେ ଜନଶୁନ୍ୟ ପରିଲକ୍ଷିତ ହୋଇଛି । ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଏପରି ଲୋକଙ୍କ ସହଯୋଗ ରହିବା ଉଚିତ ବୋଲି ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି ।






