ଲକ୍ ଡାଉନ କଟକଣାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ପୋଲିସ ତରଫରୁ କଡ଼ା ପଦକ୍ଷେପ, ଡ୍ରୋନ କ୍ୟାମେରା ଦ୍ୱାରା ଜନସାଧାରଣଙ୍କ ଗତିବିଧି ଉପରେ ନଜର, ଆଇନ ଖିଲାପ ଲୋକଙ୍କ ନାମରେ ମାମଲା ରୁଜୁ ।

YouTube video

ବ୍ରହ୍ମପୁରରେ ଲକ୍ ଡାଉନ କଟକଣାକୁ ଦୃଷ୍ଟିରେ ରଖି ପୋଲିସ ବିଭାଗ ତରଫରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ କର୍ମଚାରୀ ନିୟୋଜିତ ହେବା ସହ କୌଣସି ସ୍ଥାନରେ ବିନା କାରଣରେ ଭୀଡ଼ ନ ଜମାଇବା ପାଇଁ ନିର୍ଦେଶ ଦିଆଯାଇଛି । ତଥାପି ବହୁ ଜନସାଧାରଣ ଆଇନକୁ ଖିଲାପ କରି ବାହାରେ ବୁଲୁଥିବା ଯୋଗୁଁ ପ୍ରାୟ ୧୪୦ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ସେହିପରି ବିଭିନ୍ନ ଥାନା ପକ୍ଷରୁ ଆଇନଖିଲାପ କରିଥିବା ବ୍ୟକ୍ତିମାନଙ୍କ ଗାଡ଼ିକୁ ଜବତ କରାଯାଇଛି । ବର୍ତ୍ତମାନ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ନିର୍ଦେଶକ୍ରମେ ଏହି ଆଇନକୁ କଡ଼ାକଡ଼ିଭାବେ ଲାଗୁ କରାଯାଇଛି । ଆକାଶମାର୍ଗରୁ ଡ୍ରୋନ କ୍ୟାମେରା ଦ୍ୱାରା ଜନସାଧାରଣଙ୍କ ଗତିବିଧି ଉପରେ ନଜର ରଖିବାପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଲକ୍ ଡାଉନ ସମୟରେ ଯଦି କେହି ବିନା କାରଣରେ ବୁଲନ୍ତି କିମ୍ବା ଘରୁ ବାହାରନ୍ତି ତେବେ ସେମାନଙ୍କ ଉପରେ ଏହି କ୍ୟାମେରା ଦ୍ୱାରା ନଜର ରଖାଯିବ । ପରେ ଆଇନ ଖିଲାପ କରୁଥିବା ଲୋକଙ୍କ ନାମରେ ମାମଲା ରୁଜୁ କରାଯିବା ସହ ଗିରଫ କରାଯିବ ବୋଲି ଏସ୍ପି ମିଶ୍ର ସୁଚନା ଦେଇଛନ୍ତି । ତେଣୁ ଲକ୍ ଡାଉନ ସମୟରେ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଅଯଥାରେ ବୁଲିବା ଦଣ୍ଡନୀୟ ଅପରାଧ ବୋଲି ଏସ୍ପି ମିଶ୍ର କହିବା ସହ କରୋନା ଭୁତାଣୁ ମହାମାରୀ ହୋଇଥିବା ଯୋଗୁଁ ଜନସାଧାରଣ ନିଜ ନିଜ ଘର ମଧ୍ୟରେ ସୁରକ୍ଷିତଭାବେ ରହିବାକୁ ନିବେଦନ କରିଛନ୍ତି । ଯଦି କୌଣସି ସ୍ଥାନରେ ଆଇନକୁ ଖିଲାପ କରାଯାଏ ତେବେ ୧୦୦ କିମ୍ବା ବିଭିନ୍ନ ଥାନାଧିକାରୀମାନଙ୍କୁ ମୋବାଇଲ ମାଧ୍ୟମରେ ସୁଚନା ଦେବାପାଇଁ କୁହାଯାଇଛି ।