
କରୋନା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିଜର ୩ ମାସର ଦରମା ଜନସାଧାରଣଙ୍କ ସେବା ପାଇଁ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏବଂ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକ୍ରମେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏବଂ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସେମାନଙ୍କ ଦରମାକୁ ପ୍ରଦାନ କରିଛନ୍ତି । କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ବଦାନ୍ୟ ବ୍ୟକ୍ତିମାନେ ସହାୟତା ରାଶି ପ୍ରଦାନ କରୁଛନ୍ତି । ଏହି ଅବସରରେ ଗୋସାଇଁନୁଆଗାଁ ନିବାସୀ ସ୍ୱର୍ଗତଃ ରାଜେନ୍ଦ୍ର ପଣ୍ଡାଙ୍କ ଧର୍ମପତ୍ନୀ ରେଣୁ ପଣ୍ଡା ଗୁରୁବାର ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କା ଚେକ୍ ଆକାରରେ ପ୍ରଦାନ କରିଛନ୍ତି । ଏହି ଅବସରରେ ରେଣୁଙ୍କ ପୁତ୍ର ସଂତୋଷ କୁମାର ପଣ୍ଡା ଉପସ୍ଥିତ ଥିଲେ । ଯେଉଁ ବଦାନ୍ୟ ବ୍ୟକ୍ତିମାନେ ଏପରି ଦାନ କରିବାକୁ ଚାହାଁନ୍ତି ତେବେ ସେମାନେ ବ୍ରହ୍ମପୁର ଉପଜିଲ୍ଲପାଳଙ୍କୁ ସାକ୍ଷାତ କରି ଆର୍ଥିକ ସହାୟତା ଯୋଗାଇଦେଇ ପାରିବେ ବୋଲି କୁହାଯାଇଛି । ଏପରି ରିଲିଫ ପାଣ୍ଠି ମାଧ୍ୟମରେ କରୋନା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଥିବା ଜନସାଧାରଣଙ୍କ ପାଇଁ ଖର୍ଚ୍ଚ କରାଯିବ ବୋଲି ସୁଚନା ମିଳିଛି ।






