
କରୋନା ଭୁତାଣୁକୁ ଦୃଷ୍ଟିରେ ରଖି ଗଜପତି ଏସ୍ପି ସାରା ଶର୍ମା ସଂଗୀତ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଇଥିଲେ । ସେ ନିଜର ସୁମଧୁର ସ୍ୱର ମାଧ୍ୟମରେ ଏହି କରୋନାକୁ ଭୟ ନ କରି ମୂକାବିଲା ପାଇଁ ପରାମର୍ଶ ଦେବା ସହ ନିଜେ ନିଜକୁ ସୁରକ୍ଷିତ ରଖିବାପାଇଁ ଆହ୍ୱାନ ଦେଇଛନ୍ତି । ଯେ କୌଣସି ବ୍ୟକ୍ତି ଜ୍ୱର,କାସ, ଥଣ୍ଡା ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ପାଇଁ ସଂଗୀତ ମାଧ୍ୟମରେ କୁହାଯାଇଛି । ସେହିପରି ହାତକୁ ଭଲ ଭାବରେ ଧୋଇବା ସହ ମାକ୍ସ ପରିଧାନ କରିବା ଉଚିତ ବୋଲି ସଂଗୀତର ସ୍ୱର ମାଧ୍ୟମରେ ବୁଝାଯାଇଛି । ଗଜପତି ଏସ୍ପି ଶର୍ମାଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ସ୍ୱାଗତ କରାଯାଇଛି । ସେ ନିଜେ ଗଜପତି ଜିଲ୍ଲାରେ ଜନସାଧାରଣଙ୍କୁ ବୁଲି ବୁଲି କରୋନାର ଭୟାବହତା ନେଇ ସଚେତନ କରିବା ସହ ଲକ୍ ଡାଉନ ସମୟରେ ସମସ୍ତେ ନିଜକୁ ନିଜ ପରିବାର ମଧ୍ୟରେ ସିମିତ ରଖିବାପାଇଁ ପରାମର୍ଶ ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ଗଜପତି ଏସ୍ପି ଶର୍ମା ନିଜ ସଂଗୀତ ମାଧ୍ୟମରେ ନାରୀ ସୁରକ୍ଷାର ବାର୍ତ୍ତା ପ୍ରେରଣ କରିଥିଲେ ।






