Home Breaking ମାର୍ଚ୍ଚ ୨୨ ତାରିଖ ଜନତା କର୍ଫ୍ୟୁକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ, ସମସ୍ତ ଓଡ଼ିଶାବାସୀ ଏଥିରେ ସହଯୋଗ କରିବାକୁ...

ମାର୍ଚ୍ଚ ୨୨ ତାରିଖ ଜନତା କର୍ଫ୍ୟୁକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ, ସମସ୍ତ ଓଡ଼ିଶାବାସୀ ଏଥିରେ ସହଯୋଗ କରିବାକୁ ନିବେଦନ, ୨୨ ମାର୍ଚ୍ଚ ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ୫ଟି ଜିଲ୍ଲା ଓ ୮ଟି ସହର ଲକ୍ ଡାଉନ ।

YouTube video

ମାର୍ଚ୍ଚ ୨୨ ତାରିଖ ଜନତା କର୍ଫ୍ୟୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସମର୍ଥନ କରି ସମସ୍ତ ଓଡ଼ିଶାବାସୀ ଏଥିରେ ସହଯୋଗ କରିବାପାଇଁ ନିବେଦନ କରିଛନ୍ତି । ବିଶ୍ୱବ୍ୟାପୀ ଏହି କରୋନା ଜାରି ରହିଥିବା ଯୋଗୁଁ ସମସ୍ତେ କର୍ଫ୍ୟୁରେ ସାମିଲ ହେବା ଉଚିତ ବୋଲି ସେ କହିଛନ୍ତି । କେବଳ ସଚେତନ ଦ୍ୱାରା ହିଁ ଏହାକୁ ରୋକାଯାଇପାରିବ । ଘରେ ରହିଲେ ଆପଣ ଓ ଆପଣଙ୍କ ପରିବାର ସୁରକ୍ଷିତ ରହିପାରିବେ । ତେଣୁ ଏହି ଭୁତାଣୁକୁ ଆପଣଙ୍କ ଘରେ ପଶିବାକୁ ଦିଅନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପଟନାୟକ ଏକ ଭିଡିଓ ମାଧ୍ୟମରେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ଏପରି ପାଳନ କରି ଚୀନ୍ର ଉହାନ୍ ପ୍ରଦେଶ କରୋନା ଭୁତାଣୁକୁ ହରାଇଦେଇପାରିଛି ବୋଲି ସେ କହିବା ସହ ବର୍ତ୍ତମାନ ସମୟ ଆସିଛି, ଆମେ ମଧ୍ୟ ଏହି କୌଶଳକୁ ଅବଲମ୍ବନ କରିବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି । ଆଗାମୀ ସପ୍ତାହ ପାଇଁ ଏହା ଖୁବ୍ ଗୁରୁତ୍ୱପୁର୍ଣ୍ଣ । ଗତ କିଛିଦିନ ମଧ୍ୟରେ ବିଦେଶରୁ ପ୍ରାୟ ୩ହଜାରରୁ ଅଧିକ ଲୋକ ଓଡ଼ିଶାକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ଗଂଜାମ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାର । ତେଣୁ ୨୨ ମାର୍ଚ୍ଚ ରବିବାର ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ଏହି ୫ଟି ଜିଲ୍ଲାର ସବୁ ସହର ଓ ଗ୍ରାମ ସହିତ ସମ୍ବଲପୁର, ଝାର୍ସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ,ପୁରୀ, ଯାଜପୁର ରୋଡ଼ ଏବଂ ଯାଜପୁର ଟାଉନ୍ରେ ଲକ୍ ଡାଉନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ଏହି ଲକ୍ ଡାଉନ୍ ସମୟରେ କେବଳ ବସ,ଟ୍ରେନ୍ ଓ ବିମାନ ସେବା ସହିତ ସୌଦା ଦୋକାନ, ପରିବା, ମାଛ, ମାଂସ, ଅଣ୍ଡା, ଚିକେନ, ପେଟ୍ରୋଲ ପମ୍ପ ଓ ଔଷଧ ଦୋକାନ ଖୋଲା ରହିବ । ସେହିପରି ଡାକ୍ତରଖାନା, ବ୍ୟାଙ୍କ, ମୁନିସିପାଲିଟି ସେବା, ପୋଲିସ, ଅଗ୍ନିଶମ ସେବା, ଓଡ୍ରାଫ, ପାନୀୟ ଜଳ ଓ ବିଦ୍ୟୁତ୍ ସେବା ଆଦି ଜାରି ରହିବ । ଏଥିସହ ପ୍ରଶାସନିକ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ଖୋଲା ରହିବ ବୋଲି ସେ କହିଛନ୍ତି । ଲୋକଙ୍କ ସ୍ୱାର୍ଥ ପାଇଁ ସରକାର କରିଥିବା ଏହି କଟକଣାକୁ ଯିଏ ଭାଂଗିବାକୁ ଚେଷ୍ଟା କରିବ ସେମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନେବାପାଇଁ ପୋଲିସକୁ ନିର୍ଦେଶ ଦିଆଯାଇଥିବା ସେ କହିଛନ୍ତି । ତେଣୁ ସମସ୍ତ ଜନସାଧାରଣ ନିଜ ନିଜ ଘରେ ସୁରକ୍ଷିତ ରହିଲେ ହିଁ ଏ ଯୁଦ୍ଧ ଜିତିପାରିବା ବୋଲି ମୁଖ୍ୟମନ୍ତ୍ରୀ ପଟନାୟକ ସୁଚନା ଦେଇଛନ୍ତି ।