
ଗୁରୁବାରଠାରୁ ମାଟ୍ରିକ୍ ଖାତା ମୂଲ୍ୟାୟନ ଆରମ୍ଭ ହୋଇଛି । ଏହି ମୂଲ୍ୟାୟନ ପାଇଁ ୩ଟି ପର୍ଯ୍ୟାୟରେ ଶିକ୍ଷକ ଶିକ୍ଷୟିତ୍ରୀମାନେ କେନ୍ଦ୍ରକୁ ଯାଇ ଖାତା ମୂଲ୍ୟାୟନ କରୁଛନ୍ତି । ଗଂଜାମ ଜିଲ୍ଲାର ବ୍ରହ୍ମପୁରସ୍ଥିତ ଭିଭିଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଭଂଜନଗରସ୍ଥିତ ଉପେନ୍ଦ୍ରଭଂଜ ହାଇସ୍କୁଲରେ ସ୍ୱତନ୍ତ୍ର କେନ୍ଦ୍ର ଖୋଲାଯାଇଛି । କରୋନା ସତର୍କତା ନେଇ ଏହି କେନ୍ଦ୍ର ଗୁଡ଼ିକରେ ପଦକ୍ଷେପ ନିଆଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ଖାତା ଦେଖା ଆରମ୍ଭ ହୋଇଛି ବୋଲି ଜିଲ୍ଲାଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ ସୁଚନା ଦେଇଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ ଗାଇଡ ଲାଇନ ମୁତାବକ ବିଭିନ୍ନ ପାଠ୍ୟକ୍ରମର ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ୟୁନିଟ ଗଠନ କରାଯାଇଛି । ସକାଳ ୮.୩୦ରୁ ଅପରାହ୍ନ ୨.୩୦, ୯ଟା ୩୦ରୁ ୩ଟା ୩୦ ଓ ସକାଳ ୧୦ଟା ୩୦ରୁ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ଏପରି ମୂଲ୍ୟାୟନ କରାଯାଇଛି । ଭୀଡ଼ ଯେପରି ନହେବ ସେଥିପାଇଁ ଏହି ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଶିକ୍ଷାଧିକାରୀ ପ୍ରଧାନ ସୁଚନା ଦେଇଛନ୍ତି । ମୂଲ୍ୟାୟନ କେନ୍ଦ୍ରଗୁଡ଼ିକୁ ମୋବାଇଲ୍ ସମ୍ପୁର୍ଣ୍ଣ ବାରଣ କରାଯାଇଛି । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏପରି ଖାତା ମୂଲ୍ୟାୟନ ଚାଲିବ ବୋଲି କୁହାଯାଇଛି । ରାଜ୍ୟର ୬୧କେନ୍ଦ୍ରରେ ୧୬ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ଯୋଗଦେଇଛନ୍ତି । କିନ୍ତୁ ସନ୍ଧାରେ ଖାତା ମୂଲ୍ୟାୟନ ସ୍ଥଗିତ ଘୋଷଣା କରିଛନ୍ତି ରାଜ୍ୟ ସରକାର ।






