
କମାପଲ୍ଲୀ ବୈଦ୍ୟନାଥେଶ୍ୱର ମନ୍ଦିର ନିକଟରେ ଥିବା ବନ୍ଧର ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କିଛିଦିନ ପୂର୍ବେ ବନ୍ଧ ପାଶ୍ୱର୍ରେ ବିଭିନ୍ନ ପ୍ରକାର ବ୍ୟାୟାମ ସାମଗ୍ରୀ ସ୍ଥାପନ କରାଯାଇଥିଲେ ମଧ୍ୟ ପୋଖରୀର ପୁତି ଗନ୍ଧମୟ ପରିବେଶ ଯୋଗୁଁ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଅସଂତୋଷ ଦେଖାଦେଇଛି । ପୋଖରୀଟି ପଂକ ଓ ଲଟାବୁଦାରେ ପୋତି ହୋଇପଡ଼ିବା ସହ ଆଖପାଖ ଅଂଚଳର ବହୁ ଅଳିଆ ଏଠାରେ ପକାଯାଉଛି । ଏପରିକି ଏହି ଅଂଚଳରେ ବହୁ ବାସିନ୍ଦା ମଳମୁତ୍ର ତ୍ୟାଗ କରିବା ଫଳରେ ଅଂଚଳଟି ପୁତିଗନ୍ଧମୟ ହୋଇପଡ଼ିଛି । ତୁରନ୍ତ ଏହି ପୋଖରୀର ପୁନରୁଦ୍ଧାର କରାଯିବା ସହ ପୋଖରୀ ଚାରିପଟେ ଆଲୋକ ଓ ପାର୍କ ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି । ତେଣୁ ଏ ଦିଗରେ ନିଗମ କର୍ତ୍ତୁପକ୍ଷ ଦୃଷ୍ଟିଦେବାପାଇଁ ଦାବି ହୋଇଛି । ପୂର୍ବରୁ ଏ ସଂକ୍ରାନ୍ତରେ ସ୍ଥାନୀୟ ୩୧ନଂ ୱାର୍ଡର ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣା ନିଗମର ଦୃଷ୍ଟି ଆକର୍ଷଣ କରିଥିବା କହୁଥିଲେ ମଧ୍ୟ ଏଯାବତ ପୋଖରୀର ପୁନରୁଦ୍ଧାର ହୋଇପାରିନାହିଁ । ବର୍ତ୍ତମାନ ଖରାଦିନ ଆସିଥିବା ଯୋଗୁଁ ଏଠାରେ ଜଳ ସଂକଟ ଲାଗି ରହିଥାଏ । ତେଣୁ ପୋଖରୀର ସଦୁପଯୋଗ ପାଇଁ ଏହାର ପୁନରୁଦ୍ଧାର କରିବା ସହ ଏହାର ଚାରିପଟକୁ ସୌନ୍ଦର୍ଯ୍ୟ ସହ ଆଲୋକ ଓ ସଫେଇ କରିବା ପାଇଁ ଦାବି ହୋଇଛି ।






