
ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗଂଜାମ ଓକିଲ ସଂଘ ପକ୍ଷରୁ ୪ ଦିନିଆ କୋର୍ଟ ବର୍ଜନ ଆନେ୍ଦାଳନ ବୁଧବାର ଆରମ୍ଭ ହୋଇଛି । ଦୀର୍ଘ ବର୍ଷ ଧରି ଏହି ଦାବିରେ ଆଇନଜୀବୀମାନେ ମାସର ଶେଷ ଚାରି ଦିନ କୋର୍ଟ ବର୍ଜନ କରି ସରକାରଙ୍କ ଉପରେ ଚାପ ସୃଷ୍ଟି କରି ଆସୁଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଆଇନଜୀବୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ସଂଘ ସଭାପତି ରବିନ୍ଦ୍ର ନାଥ ପାଣିଗ୍ରାହୀ ସଂଘ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଥିଲେ । ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ ବହୁ ବର୍ଷର ଦାବି ପୁରଣ ନିମିତ୍ତ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ ତଥା ସୁପାରିଶ ବର୍ତ୍ତମାନ ମଧ୍ୟ ଓଡ଼ିଶା ହାଇକୋର୍ଟର ବିଚାରପତିଙ୍କ ନିକଟରେ ନିଷ୍ପତ୍ତି ପାଇଁ ପଡ଼ିରହିଛି । ତେଣୁ ତୁରନ୍ତ ଦାବି ପୁରଣ ହେଲେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଏଠାରେ ସଭାପତି ପାଣିଗ୍ରାହୀ କହିବା ସହ ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯାଉ ବୋଲି ସେ କହିଥିଲେ । ସାମ୍ବାଦିକ ସମ୍ମିଳନୀ ପରେ ସଂଘ କର୍ମକର୍ତ୍ତାମାନେ ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ ଉପସଭାପତି ଚିତ୍ତ ରଂଜନ ଶତପଥୀ, ସମ୍ପାଦକ କୈଳାସ ଚନ୍ଦ୍ର ପାଣିଗ୍ରାହୀ ଓ ଯୁଗ୍ମ ସମ୍ପାଦକ କିରଣ କୁମାର ମଣ୍ଡଳଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ ।






