ମହାନଗରରେ ଟ୍ରାଫିକ୍ ନିୟମ ଉଲଂଘନ କଲେ ଜରିମାନା ଦେବାକୁ ପଡ଼ିବ, ମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ପ୍ରଥମ ଇଣ୍ଡିଗ୍ରେଟେଡ୍ ଟ୍ରାଫିକ୍ ମେନେଜ୍ମେଣ୍ଟ ସିଷ୍ଟିମ ଶୁଭାରମ୍ଭ

YouTube video

ଏଣିକି ମହାନଗରରେ ଟ୍ରାଫିକ୍ ନିୟମ ଉଲଂଘନ କଲେ ଜରିମାନା ଦେବାକୁ ପଡ଼ିବ । ବୁଧବାର ରାଜ୍ୟ ଗୃହ ନିର୍ମାଣ, ପଂଚାୟତୀ ରାଜ, ପାନୀୟ ଜଳ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ରାଜ୍ୟର ପ୍ରଥମ ଇଣ୍ଡିଗ୍ରେଟେଡ୍ ଟ୍ରାଫିକ୍ ମେନେଜ୍ମେଣ୍ଟ ସିଷ୍ଟିମ ବା ସମନ୍ୱିତ ଟ୍ରାଫିକ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ସେହିପରି ସିଟି ସର୍ଭିଲେନ୍ସ ନେଟ୍ୱର୍କର ମଧ୍ୟ ଉଦ୍ଘାଟନ କରିଛନ୍ତି । ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଏଥିନେଇ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବା ସହ ଟ୍ରାଫିକ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ରକ୍ଷା ପାଇଁ ମୁଖ୍ୟ ନିୟନ୍ତ୍ରଣ କକ୍ଷର ବ୍ୟବସ୍ଥା ରହିଛି । ଯଦି କୌଣସି ଗାଡ଼ି ଚାଳକ ବେପରୁଆ ଗାଡ଼ି ଚାଳନା, ହେଲମେଟ୍ ନ ପିନ୍ଧିବା, ୨ରୁ ଅଧିକ ଯାତ୍ରୀଙ୍କୁ ଗାଡ଼ିରେ ନେଉଥିବେ ତେବେ ମହାନଗରର ପ୍ରମୁଖ ୫ଟି ଛକରେ ଲାଗିଥିବା ଇଣ୍ଟିଗ୍ରେଟେଡ୍ ସର୍ଭିଲାନ୍ସ କ୍ୟାମେରା ଦ୍ୱାରା ତାହା ନିଗମ କାର୍ଯ୍ୟାଳୟ ପରିସରରୁ ଜଣା ପଡ଼ିବା ସହ ଗାଡ଼ିର ନମ୍ବର ଅନୁଯାୟୀ ଘରକୁ ଚାଲାଣ ପହଂଚିବ ବୋଲି ଏଠାରେ ସୁଚନା ଦିଆଯାଇଥିଲା । ସୌର ଚାଳିତ ଏଲ୍ଇଡି ଟ୍ରାଫିକ୍ ଲାଇଟ ଦ୍ୱାରା ଟ୍ରାଫିକ ନିୟନ୍ତ୍ରଣ ହୋଇପାରିବ । ଏହି କ୍ୟାମେରା ଦ୍ୱାରା ଆଇନ ଶୃଙ୍ଖଳା ରକ୍ଷା ଓ ପରିମଳ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଘଟିବ ବୋଲି ନିଗମ କମିଶନର ଚକ୍ରବର୍ତ୍ତି ସିଂ ରାଠୋର ସୁଚନା ଦେଇଛନ୍ତି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ଜେନାଙ୍କ ସହ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ, ଜିଲ୍ଳାପାଳ ବିଜୟ ଅମୃତା କୁଲାଂଗେ, ପିଡିଡିଆର୍ଡିଏ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଉପଜିଲ୍ଲାପାଳ ସିନେ୍ଦ ଦତାତ୍ରୟ ଭାଉସାହେବଙ୍କ ସମେତ ବହୁ ପୂର୍ବତନ କର୍ପୋରେଟର, ପୂର୍ବତନ କାଉନ୍ସିଲର, ନିଗମ କର୍ମଚାରୀ ଓ ବିଜେଡ଼ି ନେତୃବୃନ୍ଦ ଏହି ଅବସରରେ ଉପସ୍ଥିତ ଥିଲେ । ସେହିପରି ଏଠାରେ ସୌର ଅକ୍ଷୟ ଉର୍ଜା ସରଂକ୍ଷଣ କେନ୍ଦ୍ର ଓ ନିଗମ କାର୍ଯ୍ୟାଳୟସ୍ଥିତ ମହାନଦୀ ସୌଧ ଦ୍ୱିତୀୟ ମହଲାର ଶୁଭ ଉଦ୍ଘାଟନ କରାଯିବା ସହ ନିଗମ ପରିସରସ୍ଥିତ ରାସ୍ତାର କଂକ୍ରିଟ୍ ଫେଭର ବ୍ଲକ୍ ଦ୍ୱାରା ଉନ୍ନତି କରଣ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ପଂଚାୟତି ରାଜ ମନ୍ତ୍ରୀ ଜେନା ଯୋଗଦେଇଥିଲେ ।