
କରୋନା ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏହାର ମୁକାବିଲା ପାଇଁ ତତ୍ପରତା ଆରମ୍ଭ ହୋଇଛି । ଶୁକ୍ରବାର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ ଛତ୍ରପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜିଲ୍ଲାବାସୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଥଣ୍ଡା କାସ ପିଡ଼ିତ ବ୍ୟକ୍ତି ନିକଟସ୍ଥ ସ୍ୱାସ୍ଥ୍ୟ କର୍ମୀଙ୍କୁ ସୁଚନା ଦେବା ସହ କେହି ଏହା ଲୁଚାଇଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଏଠାରେ ପ୍ରକାଶ କରିଥିଲେ । ଯଦି କୌଣସି ରୋଗୀ ଦେଖାଯାଏ ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କଂଣ୍ଟେ୍ରାଲ୍ ରୁମ୍ ନଂ ୦୬୮୦-୨୨୨୪୭୮୯, ମୋବାଇଲ୍ ନଂ ୯୪୩୯୯୮୩୯୫୬ ଏବଂ ଟୋଲ୍ ଫ୍ରି ନଂ ୧୦୪କୁ ଏ ସଂକ୍ରାନ୍ତରେ ସୁଚନା ଦେବାକୁ ସେ ଏଠାରେ ପରାମର୍ଶ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଡୁଡା ପିଡି ସୁଦାମ ଚରଣ ମଣ୍ଡଳ ଓ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶରତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।






