
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ୍ କଲେଜରେ ଗୁରୁତର ରୋଗୀଙ୍କୁ ବ୍ୟାଟେରୀଚାଳିତ ଗାଡ଼ିରେ ୱାର୍ଡକୁ ନିଆଯିବାର ବ୍ୟବସ୍ଥା ଆରମ୍ଭ ହୋଇଛି । ବର୍ତ୍ତମାନ ୨ଟି ଗାଡ଼ିଦ୍ୱାରା ଏହି ସେବା ଆରମ୍ଭ କରାଯାଇଥିବା ଯୋଗୁଁ ଏହାକୁ ସାଧାରଣରେ ସ୍ୱାଗତ କରାଯାଇଛି । ଏହି ଗାଡ଼ି ଏକ ଠିକା ସଂସ୍ଥା ଜରିଆରେ ପରିଚାଳିତ କରାଯିବା ସହ ରୋଗୀଙ୍କୁ ୨୪ଘଣ୍ଟିଆ ସେବା ଯୋଗାଇଦିଆଯିବ ବୋଲି ପ୍ରଶାସନିକ ଅଧିକାରୀ ସଚିଦାନନ୍ଦ ନାୟକ ସୁଚନା ଦେଇଛନ୍ତି । ଗାଡ଼ିରେ ୩ଟି ସିଫ୍ଟରେ କର୍ମଚାରୀ ବଦଳିବେ ଏବଂ ପ୍ରତି ସିଫ୍ଟରେ ଜଣେ ଚାଳକ ଓ ସହକାରୀ ରହିବେ । ଗାଡ଼ିରେ ରୋଗୀଙ୍କୁ ବୋହିବାକୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ହସ୍ପିଟାଲ୍ ଭିତରେ ହିଁ ଏହି ଗାଡ଼ି ରହିବ ଏବଂ ଗୁରୁତର ରୋଗୀଙ୍କୁ ବୁହାଯିବ ବୋଲି କୁହାଯାଇଛି । କମ୍ ସମୟ ମଧ୍ୟରେ ଏବଂ ସୁବିଧାରେ ରୋଗୀଙ୍କୁ ଏହି ଗାଡ଼ିଦ୍ୱାରା ସ୍ଥାନାନ୍ତର କରାଯାଇପାରିବ ।






