
ବ୍ରହ୍ମପୁର ମହାନଗରର ବିଭିନ୍ନ ବିଦ୍ୟାଳୟରେ ଶନିବାର ନୋ ବ୍ୟାଗ୍ ଡେ ପାଳନ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଖାଲି ହାତରେ ସ୍କୁଲକୁ ଆସି ବିଭିନ୍ନ ନାଚ, ଗୀତ, ଝୋଟି ଓ ଯୋଗ ଖେଳ ମାଧ୍ୟମରେ ନିଜକୁ ସାମିଲ କରି ଉତ୍ସାହିତ ହୋଇଥିଲେ । ସେହିପରି ବହୁ ଛାତ୍ରୀ ପାଠାଗାରର ମଜା ନେବା ସହ ସଫେଇ, ବୃକ୍ଷ ରୋପଣ ଏବଂ ପ୍ଲାଷ୍ଟିକ ବର୍ଜନ କରିବା ନେଇ ସଚେତନତା ସୃଷ୍ଟି କରିଥିଲେ । ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେଙ୍କ ନିର୍ଦେଶକ୍ରମେ ଏପରି ଛାତ୍ରଛାତ୍ରୀମାନେ ସ୍କୁଲକୁ ବ୍ୟାଗ ନ ନେଇ ଆସିଥିଲେ । ଏପରି କାର୍ଯ୍ୟକ୍ରମକୁ ସାଧାରଣରେ ସ୍ୱାଗତ କରାଯାଇଥିବାବେଳେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଉତ୍ସାହର ସହ ସାମିଲ ହୋଇ ଶିକ୍ଷାଦାନ ପ୍ରତି ଅଧିକ ରୁଚି ପ୍ରକାଶ କରିଥିଲେ । ଏପରି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମାନସିକ ସ୍ତରରେ ବିକାଶ ଘଟିବା ସହ ଶିକ୍ଷା ପ୍ରତି ଅଧିକ ରୁଚି ଦେଖାଯାଉଥିବା କୁହାଯାଇଛି । ଗଂଜାମ ଜିଲ୍ଳାରେ ଏପରି କାର୍ଯ୍ୟକ୍ରମ ପ୍ରଥମ ବୋଲି କୁହାଯାଇଛି ।






