ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ଷର ପ୍ରଥମ ଟ୍ରେନ୍ ବ୍ରହ୍ମପୁରରୁ ୮ଟି ଜିଲ୍ଲାର ଏକ ହଜାର ବରିଷ୍ଠ ନାଗରିକଙ୍କୁ ନେଇ ତୀର୍ଥ ଯାତ୍ରା ଆରମ୍ଭ

YouTube video

ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ନେଇ ଆୟୋଜିତ ତୀର୍ଥ ଯାତ୍ରା ଯୋଜନାର ଚଳିତ ବର୍ଷର ପ୍ରଥମ ଟ୍ରେନ୍ ଶୁକ୍ରବାର ବ୍ରହ୍ମପୁରରୁ ୮ଟି ଜିଲ୍ଲାର ୩୦ଜଣ ଅଧିକାରୀଙ୍କ ତତ୍ୱାବଧାନରେ ଏକ ହଜାର ବରିଷ୍ଠ ନାଗରିକଙ୍କୁ ନେଇ ତୀର୍ଥ ଯାତ୍ରା ଆରମ୍ଭ ହୋଇଛି । ବ୍ରହ୍ମପୁର ରେଳ ଷ୍ଟେସନ୍ରୁ ଏହି ତୀର୍ଥଯାତ୍ରା ଟ୍ରେନ୍ ତିରୁପତି ଯାତ୍ରା କରିଛି । ରାଜ୍ୟ ପର୍ଯ୍ୟଟନ ବିଭାଗ, ଗଂଜାମ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହି ଟେନ୍ ଯାତ୍ରା ଆରମ୍ଭ ହୋଇଥିଲା । ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଏଠାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ବେହେରା, କବିସୁର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଂଗେ, ଉପଜିଲ୍ଳାପାଳ ସିନେ୍ଧ ଦତାତ୍ରୟ ଭାଉସାହେବ, ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡ଼ି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ମହିଳା ବିଜେଡ଼ି ସଭାନେତ୍ରୀ ସଂଘମିତ୍ରା ଦଳେଇଙ୍କ ସମେତ ବହୁ ବିଜେଡ଼ି କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ଥିଲେ । ଏପରି ଯାତ୍ରା କରି ବରିଷ୍ଠ ନାଗରିକମାନେ ନିଜକୁ ଖୁସି ଅନୁଭବ କରିଥିଲେ । ଏହି ତୀର୍ଥଯାତ୍ରାରେ ୯୭୦ଜଣ ପୁରୁଷ ଓ ମହିଳା ରହିଛନ୍ତି । ଏଥିରେ ଗଂଜାମର ୪୮୩, ଗଜପତିର ୫୯, କନ୍ଧମାଳର ୫୩, କୋରାପଟୁର ୧୧୩, ମାଲ୍କାନାଗିରିର ୫୨, ନବରଂଗପୁରର ୮୩, ରାୟଗଡ଼ାର ୯୭ ଏବଂ ବୌଦ୍ଧ ଜିଲ୍ଲାର ୩୦ଜଣ ବରିଷ୍ଠ ନାଗରିକ ମାଗଣାରେ ତୀର୍ଥଯାତ୍ରା କରିଛନ୍ତି ।