
ବଡ଼ବଜାର ଥାନା ଅନ୍ତର୍ଗତ ବଡ଼ ରେଡିକା ସାହିରେ ଭାରି ଯାନ ପ୍ରବେଶକୁ ନେଇ ମଂଗଳବାର ସଂଧ୍ୟାରେ ଉତ୍ତେଜନା ଓ ରାସ୍ତା ଅବରୋଧ କରାଯାଇଥିଲା । ଆସିକାରୋଡ଼ ଠାରୁ ବାଲୁଂକେଶ୍ୱର ମନ୍ଦିର ରୋଡ଼ ଓ ପୁରୁଣା ବ୍ରହ୍ମପୁର ଅଂଚଳ ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଭାରିଯାନ ଜାତୀୟ ରାଜପଥକୁ ଏହି ରାସ୍ତାଦେଇ ଯାତାୟତ କରିଥାନ୍ତି । ଫଳରେ ଦୈନିକ ଏହି ରାସ୍ତାରେ ଦୀର୍ଘ ସମୟ ଧରି ରାସ୍ତା ଜାମ୍ ହୋଇଥାଏ । ଦୀର୍ଘ ଘଣ୍ଟା ଧରି ଏହି ରାସ୍ତାରେ ଗୋଟିଏ ଗ୍ରାନାଇଟ ବୋଝେଇ ଟ୍ରକ୍ ରାସ୍ତା ପାଶ୍ୱର୍ରେ ଥିବା ନାଳ ମଧ୍ୟରେ ଅଟକି ରହିଥିଲା । ଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ଏହା ପ୍ରତି କୌଣସି ପଦକ୍ଷେପ ନନେବା ଫଳରେ ସ୍ଥାନୀୟ ଅଂଚଳରେ ଅସଂତୋଷ ପ୍ରକାଶ ପାଇବା ସହ ଉତ୍ତେଜନା ଦେଖାଦେଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା । ଆସିକାରୁ ଏକ କ୍ରେନ୍ ଆସିବାପରେ ଟ୍ରକ୍ଟିକୁ ବିଳମ୍ବିତ ରାତିରେ ବାହାର କରାଯାଇଥିବା ଟ୍ରାଫିକ୍ ଡିଏସ୍ପି ସାର୍ଥକ ରାୟ ସୁଚନା ଦେଇଛନ୍ତି । ରାସ୍ତାଟି ସଂକୁଚିତ ହେବା ସହ ଉଭୟ ପାଶ୍ୱର୍ରେ ଛୋଟବଡ଼ ବାସଗୃହ ରହିଥିବା ଯୋଗୁଁ ଏପରି ସମସ୍ୟା ଲାଗି ରହୁଛି । ତେଣୁ ତୁରନ୍ତ ଏକ ସ୍ୱତନ୍ତ୍ର ରାସ୍ତା ନିର୍ମାଣ କରାଯିବାର ଆବଶ୍ୟକତା ରହିଛି ।






