
ବ୍ରହ୍ମପୁର : ବ୍ରହ୍ମପୁର ସହର ଉପକଣ୍ଠରେ ଗଢ଼ି ଉଠିଥିବା ଘରୋଇ ଚିକିତ୍ସାଳୟ ଏବଂ ନିଦାନ କେନ୍ଦ୍ର ଗୁଡ଼ିକରେ ଉଚ୍ଚ ଶୁଳ୍କ ଆଦାୟ କରି ଡାକ୍ତରଙ୍କୁ ଖୁସି ପ୍ରଦାନ ବନ୍ଦ କରିବା ଓ ନକଲି ଡାକ୍ତରଙ୍କ ଚିକିତ୍ସା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମେତ ୮ଦଫା ଦାବିନେଇ ଗୁରୁବାର ବିଜେପି ଶିଳ୍ପାଂଚଳ ମଣ୍ଡଳ ଶାଖା ତରଫରୁ ସଭାପତି ଶିବ ଶଙ୍କର ନାୟକଙ୍କ ନେତୃତ୍ୱରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏକ ଶୋଭାଯାତ୍ରାରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ବଡ଼ ଡାକ୍ତରଖାନାରେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ନିଯୁକ୍ତି, ଯନ୍ତ୍ରପାତି,ଟେକ୍ନିସିଆନ ନିଯୁକ୍ତି ସହ ନିଦାନ କେନ୍ଦ୍ରକୁ ୨୪ ଘଣ୍ଟିଆ ଖୋଲିବା, ସହରରେ ଗଢ଼ି ଉଠିଥିବା ଘରୋଇ ନର୍ସିଂ ହୋମ୍ ଗୁଡ଼ିକ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ରୋଗ ନିରୁପଣ କେନ୍ଦ୍ର ଗୁଡ଼ିକ ଅଧିକ ଅର୍ଥ ଆଦାୟ ବନ୍ଦ କରିବା, ସ୍ୱିକୃତିପ୍ରାପ୍ତ ଡାକ୍ତରଙ୍କ ବ୍ୟତିତ ଅନ୍ୟ ଡାକ୍ତରଙ୍କ ଚିକିତ୍ସା ବନ୍ଦ କରିବା, ଗୁରୁଦେବ ନର୍ସିଂ ହୋମ୍କୁ କଳା ତାଲିକାଭୂକ୍ତ କରିବା ସହ ମୃତ୍ୟୁ ବରଣ କରିଥିବା ମହିଳାଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ପ୍ରଦାନ ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ବେସରକାରୀ ନର୍ସିଂ ହୋମ୍ ରୋଗ ନିରୁପଣ କେନ୍ଦ୍ର ଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହ ଗାଡ଼ି ପାର୍କିଂ ସ୍ଥଳ ବ୍ୟବସ୍ଥା କରିବା ଆଦି ଦାବିନେଇ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ପରେ ପରେ ଏହି ଦାବିନେଇ ଭାରପ୍ରାପ୍ତ ସିଡିଏମ୍ଓ ଡାକ୍ତର ଆର୍.ଜଗଦୀଶ ପଟନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏଥିରେ ସଂତୋଷ କୁମାର ସାହୁ, ତୁମ୍ବେଶ୍ୱର ନାୟକ,କମଳ କୁମାର ପଣ୍ଡିତ, ଅନନ୍ତ ନାରାୟଣ ମହାନ୍ତି, ଶରତ ସାହୁ, ରାମ କୁମାର ପାତ୍ର,ସୁବାସିନି ପଟନାୟକ,ଅଭିରାମ ସାହୁ, ଅଂଶୁମାନ ସିଂଦେଓ, ସମ୍ବିତ ସିଂଦେଓ, ସଂଗିତା ବେହେରା, ଶିଶିର ପାତ୍ର, ରାକେଶ ସାହୁ, ସୁମିତ ପାତ୍ର, ସୁଜାତା ବିଶୋୟୀ, ସାଇଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗଦେଇଥିଲୋ ।






