
ବ୍ରହ୍ମପୁର : ଗଂଜାମ ଜିଲ୍ଲାରେ ଶିକ୍ଷାରେ ଅବ୍ୟବସ୍ଥା, ସୁରକ୍ଷା ଓ ରୋଜଗାର ଭଳି ଗୁରୁତ୍ୱପୁର୍ଣ୍ଣ ବିଷୟକୁ ନେଇ ଗୁରୁବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଂଜାମ ଜିଲ୍ଲା ଶାଖା ତରଫରୁ ଆର୍ଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଛାତ୍ର ସମାବେଶ ଆୟୋଜନ କରାଯାଇଥିଲା । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସମେତ ଅନ୍ୟାନ୍ୟ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ଅଧ୍ୟାପିକା ପଦବୀ ପୁରଣ କରିବା, ଅନୁସୁଚିତ ଜାତି ଓ ଜନଜାତିଙ୍କ ପାଇଁ ଛାତ୍ରାବାସ ନିର୍ମାଣ କରିବା, ଜିଲ୍ଲାକୁ ନିଶାମୁକ୍ତ କରିବା, କ୍ୟାମ୍ପସ୍ରେ ଅଣଛାତ୍ର ପ୍ରବେଶ ବନ୍ଦ କରିବା, ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ଏବଂ କୁଟୀର ଶିଳ୍ପ ପ୍ରତିଷ୍ଠାନ କରି ଜିଲ୍ଲାର ଯୁବକମାନଙ୍କୁ ରୋଜଗାର ଦେବା ସମେତ ଅନ୍ୟାନ୍ୟ ଦାବିନେଇ ଏବିଭିପି କାର୍ଯ୍ୟକର୍ତ୍ତାମାନେ ଖଲିକୋଟ କଲେଜ ନିକଟରୁ ରାଲିରେ ବାହାରି ଆର୍ଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ସମାବେଶ କରିଥିଲେ । ଏଥିରେ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସ୍ମୃତିସୁଧା ସାହୁ, ଟୁଟୁନ ପାତ୍ର, ହିମାଂଶୁ ଶେଖର ତ୍ରିପାଠୀ, ଲକ୍ଷ୍ମୀ ପ୍ରିୟା ବେହେରା, କୃଷ୍ଣ ପଲେଇ, ସ୍ୱାଗତ ତ୍ରିପାଠ. ଚିନ୍ମୟାନନ୍ଦ ପଟନାୟକ, ଚନ୍ଦନ ପାତ୍ର, ବିନାୟକ ପଣ୍ଡା,ରଜତ ପାଢ଼ୀ, ବିଭୁ ପ୍ରୀୟା ବିଶୋୟୀ, ଅନନ୍ତ ପ୍ରଧାନ, ଦୋବଶିଷ ମିଶ୍ର ଏବଂ ଜଗନ୍ନାଥ ମହାପାତ୍ରଙ୍କ ସମେତ ବହୁ ସଦସ୍ୟ ଯୋଗଦେଇଥିଲେ ।






