
ବ୍ରହ୍ମପୁର : ବ୍ରହ୍ମାନଗରସ୍ଥିତ ଗୁରୁଦେବ ହସ୍ପିଟାଲ୍ରେ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଘଟଣାରେ ଅବହେଳା ଅଭିଯୋଗ କରି ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଲାଂଜିପଲ୍ଲୀ ମାର୍କଣ୍ଡେଶ୍ୱର ନଗର ଅଂଚଳର ଶୁଭ୍ରଜିତ୍ ସାମନ୍ତଙ୍କ ପତ୍ନୀ ଐଶ୍ୱର୍ଯ୍ୟା ସିଂ ଦେଓ ଆପେଣ୍ଡିସାଇଟ୍ସ ରୋଗରେ ଆକ୍ରାନ୍ତ ହୋଇ ଗୁରୁଦେବ ହସ୍ପିଟାଲ୍ରେ ଅସ୍ତେ୍ରାପଚାର କରାଇଥିଲେ । ଏହି ଅସ୍ତେ୍ରାଚାରର ମାତ୍ର କିଛି ସମୟ ପରେ ସେ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଥିଲେ । ଯଦ୍ୱାରା ତାଙ୍କ ଲୋକେ ଉତ୍ତେଜିତ ହୋଇ ପ୍ରବଳ ପାଟିତୁଣ୍ଡ କରିବା ପରେ ସେଠାରେ ପୋଲିସ ପହଂଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ସହ ଐଶ୍ୱର୍ଯ୍ୟାଙ୍କ ଶବକୁ ବ୍ୟବଛେଦ କରାଇଥିଲେ । ଏହି ଘଟଣା ନେଇ ପୋଲିସ ତରଫରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ଐଶ୍ୱର୍ଯ୍ୟାଙ୍କ ଏପରି ମୃତ୍ୟୁ ପରେ ତାଙ୍କ ପରିବାର ଓ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ପୁରୀ ସ୍ୱର୍ଗଦ୍ୱାରଠାରେ ଐଶ୍ୱର୍ଯ୍ୟାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ବୁଧବାର ହସ୍ପିଟାଲ୍ର କାର୍ଯ୍ୟକଳାପ ନେଇ ବହୁ ଆଇନଜୀବୀ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି କରିଥିବା ଜଣାଯାଇଛି । ଉପଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଗୁରୁଦେବ ହସ୍ପିଟାଲ୍ରେ ଏକ ତଦନ୍ତ ଟିମ୍ କାଗଜପତ୍ର ଯାଂଚ କରିଛନ୍ତି ।






