
ଦିଗପହଣ୍ଡି : ଦିଗପହଣ୍ଡି ପୋଡ଼ାମାରୀ ଜାତୀୟ ରାଜପଥ ନିକଟସ୍ଥ ଉପରବସା ରାସ୍ତାରେ ବୁଧବାର ଏକ ଘରୋଇ ଅଟୋରୁ ଖସିପଡ଼ି ଜଣେ ୫ବର୍ଷର ଛାତ୍ରଙ୍କ ମୃତ୍ୟୁ ଘଟିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ମୃତ ଛାତ୍ର ଜଣକ ହେଲେ କବିସୁର୍ଯ୍ୟନଗର ଥାନା ଗୁଡ଼ିଆଳୀ ଗ୍ରାମର ଗୁଲୁ ପ୍ରଧାନଙ୍କ ପୁତ୍ର ଅଜୟ ପ୍ରଧାନ ବୋଲି ଜଣାପଡ଼ିଛି । ଘଟଣା ପରେ ପରିବାର ଓ ଆତ୍ମୀୟମାନେ ଶବକୁ ଧରି ଦିଗପହଣ୍ଡି, ଚିକିଟି ଓ ପୁଂଜିକୟାଁ ଛକ ନିକଟରେ ଦୀର୍ଘ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ମୃତ ଅଜୟ ସାନଖେମୁଣ୍ଡି ବ୍ଲକ୍ ମୋଳାଭଂଜା ପଂଚାୟତ ତିଳେଶ୍ୱର ଗ୍ରାମରେ ନିଜ ମାମୁଁ ହରେକୃଷ୍ଣ ବିଶୋୟୀଙ୍କ ଘରେ ରହି ଦିଗପହଣ୍ଡି ଚିକିଟି ମୁଖ୍ୟ ରାସ୍ତା ପାଶ୍ୱର୍ରେ ରହିଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଥିଲେ । ପ୍ରତିଦିନ ଭଳି ଏକ ଅଟୋରେ ସେ ବିଦ୍ୟାଳୟକୁ ଯାଉଥିବାବେଳେ କୌଣସି କାରଣ ବଶତଃ ଛାତ୍ର ଜଣକ ଅଟୋରୁ ଖସିପଡ଼ିଥିଲେ । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ କ୍ଷତି ପୁରଣ ଦାବି କରି ରାସ୍ତାରୋକ ଆନେ୍ଦାଳନ କରାଯାଇଥିଲା । ଘଟଣା ସ୍ଥଳରେ ଦିଗପହଣ୍ଡି ତହସିଲଦାର ଅଦ୍ୱୈତ୍ୱ କୁମାର ସ୍ୱାଇଁ, ଚିକିଟି ଏସ୍ଡିପିଓ ସୁରେନ୍ଦ୍ର ନାଥ ମୂର୍ମୁ, ଦିଗପହଣ୍ଡି ଥାନାଧିକାରୀ ବସନ୍ତ କୁମାର ସେଠୀ ଓ କେ.ନୁଆଗାଁ ଥାନାଧିକାରୀ ମାଧବାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ରହି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ କ୍ଷତି ପୁରଣ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା । ଏଥିନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।






