
ଛତ୍ରପୁର : ଛତ୍ରପୁରଠାରେ ଜିଲ୍ଳାପାଳ ବିଜୟ ଅମୃତା କୁଲାଂଗେ ପୂର୍ବରୁ ଚାଲି ଚାଲି ପରେ ସାଇକେଲ୍ ଓ ସୋମବାର ବୁଲେଟ ଯୋଗେ ଛତ୍ରପୁରର ବିଭିନ୍ନ ଅଂଚଳ ବୁଲି ସ୍ୱଛତା ଓ ପରିମଳର ତଦାରଖ କରିଥିଲେ । ସେ ନିଜ ବାସଭବନଠାରୁ ବୁଲେଟରେ ବାହାରି ଅପର ବସ୍ଷ୍ଟାଣ୍ଡ୍, ମୁଖ୍ୟ ବଜାର, ରିକାପଲ୍ଲୀ ଏବଂ ଲୋଏର ବସ୍ଷ୍ଟାଣ୍ଡ୍ ଆଦି ସ୍ଥାନ ପରିଦର୍ଶନ କରିଥିଲେ । ମୁଖ୍ୟ ବଜାର କିରାଣୀ ସାହିସ୍ଥିତ ଏକ ଗ୍ୟାସଚୁଲା ଦୋକାନ ସମ୍ମୁଖରେ ଅଳିଆ ଆବଜର୍ନା ପଡ଼ିଥିବା ନେଇ ଜିଲ୍ଳାପାଳଙ୍କ ନିର୍ଦେଶକ୍ରମେ ଏନ୍ଏସି ପକ୍ଷରୁ ଏଠାରୁ ୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ନିଜ ଘରକୁ ଯେପରି ସ୍ୱଛ ରଖୁଛନ୍ତି ନିଜ ଦୋକାନ ସମ୍ମୁଖକୁ ମଧ୍ୟ ସେଭଳି ପରିଛନତା ରଖିବାପାଇଁ ଜିଲ୍ଲାପାଳ କୁଲାଂଗେ ଏଠାରେ ପରାମର୍ଶ ଦେଇଥିଲେ । ନଚେତ ପରବର୍ତ୍ତି ସମୟରେ ଏଥିପାଇଁ ଅଧିକ ଜୋରିମାନା ଦେବାକୁ ପଡ଼ିବ ବୋଲି ଜିଲ୍ଲାପାଳ ଦୋକାନୀକୁ ଚେତାଇ ଦେଇଥିଲେ । ସେହିପରି ଛତ୍ରପୁର ଠାକୁରାଣୀ ମନ୍ଦିର ରୋଡ଼ ଓ ବଡ଼ ବଜାର ଅଂଚଳର କେତେକ ଦୋକାନ ବୁଲି ବୁଲି ସ୍ୱଛତା ତଦାରଖ କରିବା ସହ ପଲିଥିନ ବ୍ୟବହାର ନ କରିବାକୁ କହିଥିଲେ । ସମସ୍ତେ ନିଜ ନିଜ ଦୋକାନରେ ଡଷ୍ଟବିନ୍ ବ୍ୟବହାର କରିବାପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା, ଏସ୍.ଦାଲେୟା ରେଡ୍ଡୀ, ନିରିକ୍ଷକ ଗୌର ହରି ପଣ୍ଡା ଓ ପରିମଳ ଠିକାଦାର ସୁର୍ଯ୍ୟପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।






