
ବ୍ରହ୍ମପୁର : ବିଡିଏ ସମ୍ମିଳନୀ କକ୍ଷରେ ଶନିବାର ବିଏମ୍ସି କମିଶନର ତଥା ବିଡିଏ ଉପାଧ୍ୟକ୍ଷ ଚକ୍ରବର୍ତ୍ତି ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଗଂଜାମ ହାଟର ଟେଣ୍ଡର, ରକ୍ ଗାର୍ଡେନର କାର୍ଯ୍ୟ, ଭୂତଳ ଜଳ ସଂରକ୍ଷଣର କାର୍ଯ୍ୟକାରିତା ନେଇ ବିବରଣୀ ପ୍ରଦାନ କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ, ବିଡିଏ ସଚିବ ସମ୍ବିତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ବିଡିଏ ଅଧିନସ୍ଥ ଅଂଚଳରେ କୋଟା ପ୍ଲାନ୍ ଅନୁମୋଦନ ନିମନ୍ତେ ଆସନ୍ତା ୧୮ ଓ ୧୯ ତାରିଖ ଏକ ସ୍ୱତନ୍ତ୍ର କ୍ୟାମ୍ପ ଅୟୋଜନ ହେବ ବୋଲି ଏଠାରେ ସୁଚନା ଦିଆଯାଇଥିଲା । ସେହିପରି ପାଗୋ ମହୋତ୍ସବକୁ ଫେବୃୟାରୀ ୨୮ ଓ୨୯ ତାରିଖ ପରିବର୍ତ୍ତେ ମାର୍ଚ୍ଚ ୨୮ ଓ ୨୯ ତାରିଖରେ ଆୟୋଜନ କରାଯିବ ବୋଲି ଏଠାରେ କୁହାଯାଇଥିଲା । ଗଂଜାମ ହାଟରେ ପାର୍କ, ପାର୍କିଂ, ଜଳ ଫୁଆରା ସହିତ ୧୧୭ଟି କଠୋରୀ ନିର୍ମିତ ହେଉଥିବା ଏଠାରେ ଉପାଧ୍ୟକ୍ଷ ରାଠୋର ପ୍ରକାଶ କରିଥିଲେ । ଇଛୁକ ବ୍ୟବସାୟୀଙ୍କୁ ହାଟରେ ରୂମ୍ ନେବାକୁ ଋଣ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଥିଲା । ଏଥିପାଇଁ ସମସ୍ତ ନିୟମ ଓ ଟେଣ୍ଡର ବିଡିଏ ଅଫିସରେ ପ୍ରଦାନ କରାଯିବ ବୋଲି ଏଠାରେ ପ୍ରକାଶ କରାଯାଇଥିଲା । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସର୍ବକ୍ଷମା ଯୋଜନାକୁ ବୃଦ୍ଧି କରାଯାଇଥିବା ବୈଠକରେ ସୁଚନା ଦିଆଯାଇଥିଲା ।






