
ଏଲ୍ପିଜି ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଶୁକ୍ରବାର ଏସ୍ୟୁସିଆଇ ତରଫରୁ କମାପଲ୍ଲୀ ମୁଖ୍ୟ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାରାତ୍ମକ ଜନମାରଣ ନିତିର ଫଳ ସ୍ୱରୁପ ପିଆଜ ଆଳୁଠାରୁ ଆରମ୍ଭ କରି ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ହୁ ହୁ ହୋଇ ବଢ଼ି ଚାଲିଛି । ପେଟ୍ରୋଲ, ଡିଜେଲ ଓ ବସ୍ ଭଡ଼ା ମଧ୍ୟ ବଢ଼ିଛି । ବର୍ତ୍ତମାନ ଏଲ୍ପିଜି ସିଲଣ୍ଡର ଦର ଏକକାଳୀନ ୧୪୫ଟଙ୍କା ବୃଦ୍ଧି କରାଯିବା ଫଳରେ ଅତିତର ସମସ୍ତ ରେକର୍ଡ ଭାଂଗି ଦେଇଛି । ବିଜେପି ସରକାର ବର୍ତ୍ତମାନ କ୍ଷମତାରେ ରହି ଏପରି ଦରବୃଦ୍ଧି କରୁଥିବା ଏଠାରେ ଏସ୍ୟୁସିଆଇ ପକ୍ଷରୁ ଜିଲ୍ଲା ସାଂଗଠନିକ କମିଟି ସମ୍ପାଦକ ସୋମନାଥ ବେହେରା ଅଭିଯୋଗ କରିଥିଲେ । ତେଣୁ ଏପରି ଦରବୃଦ୍ଧିର ଦୃଢ଼ ନିନ୍ଦା କରାଯିବା ସହ ତୁରନ୍ତ ବର୍ଦ୍ଧିତ ଦର ପ୍ରତ୍ୟାହାର ପାଇଁ ଦାବି କରାଯାଇଥିଲା । ଏଥିରେ କାର୍ତ୍ତିକ ଚନ୍ଦ୍ର ମହାନ୍ତି, ଶିବାନୀ ଶଙ୍କର ମିଶ୍ର, ନିମାଇଁ ଚରଣ ସାହୁ, ଡି.ତିରୁପତି ଦୋରା, ନାରାୟଣ ସାହୁ, ପପୁନ ସାହୁ, ରଂଜନ ସେଠୀ, କିଷାନ ସାହୁ, କାମରାଜୁ ସାହୁ, ଶୁଭସ୍ମିତା ପାଣିଗ୍ରାହୀ ଓ ଅଲିଭା ଦାସଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।






